ନୟାଗଡ଼,(ବାଘୁଆବାର୍ତ୍ତା): ଲିଙ୍ଗ ନିରୁପଣ ନିଷେଧ ଅଧିନିୟମ ୧୯୯୪କୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦଯାତ୍ରାରେ ଶତାଧିକ ମହିଳା ଏବଂ ସରକାରୀ କର୍ମଚାରୀ ଯଥା ଅଙ୍ଗନୱାଡି କର୍ମୀ, ଜିଲ୍ଲା ସ୍ତରୀୟ ମହିଳା ସ୍ୱୟଂ ସହାୟକ ସଂଘର ସଭ୍ୟା, ସଖୀର କର୍ମଚାରୀ, ଶକ୍ତି ସଦନ କର୍ମଚାରୀ, ଜିଲ୍ଲା ସ୍ତରୀୟ ମହିଳା ସଶକ୍ତି କରଣ ସମସ୍ତ କର୍ମଚାରୀ, ମହିଳା ପରିଦର୍ଶୀକା ଆଞ୍ଚଲ ପାତ୍ର, ସିଡିପିଓ ସୌଦାମିନୀ ପଣ୍ଡା, ଜୟଶ୍ରୀ ପ୍ରଧାନ ଯୋଗ ଦେଇଥିଲେ । କନ୍ୟା ସନ୍ତାନ ଯତ୍ନ ଏବଂ ସୁରକ୍ଷା ପାଇଁ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା । କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨ଟି ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପତାକା ପ୍ରଦର୍ଶନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଦୁଇଟି ସଚେତନତା ରଥ ମଧ୍ୟରୁ ଗୋଟିଏ ନୟାଗଡ଼, ଓଡ଼ଗାଁ, ନୂଆଗାଁ ଏବଂ ରଣପୁର ବ୍ଲକ ଏବଂ ଅନ୍ୟଟି ଭାପୁର, ଗଣିଆ ଦଶପଲ୍ଲା ଓ ଖଣ୍ଡପଡା ବ୍ଲକ ପରିକ୍ରମା କରି କନ୍ୟା ସନ୍ତାନର ଯତ୍ନ ଓ ସୁରକ୍ଷା ଏବଂ ଭୃଣହତ୍ୟା ନିରୋଧ ଅଧିନିୟମ ବାବଦରେ ବାର୍ତ୍ତା ପ୍ରଚାର ଏବଂ ପ୍ରସାର କରିବ ।





