
ଓଡ଼ଗାଁ(ବାଘୁଆବାର୍ତ୍ତା): କୋମଣ୍ଡସ୍ଥିତ ବିଜେ ପ୍ରଭୁ ଡ଼ଙ୍କନାଶନ ଜୀଉଙ୍କ ନୂତନ ବିଗ୍ରହ ନିମନ୍ତେ ଦାରୁ ଛେଦନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମାପନ ହୋଇଅଛି ।ଦାରୁ ଛେଦନ ସ୍ଥଳରେ ନୟାଗଡ଼ ଜିଲ୍ଲା ସମେତ ଗଂଜାମ ଜିଲ୍ଲାର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ଦେଖୁଵାକୁ ମିଳିଥିଲା।ହରିନାମ ସଂକୀର୍ତ୍ତନ ଏବଂ ହୁଲୁହୁଳିରେ ସମ୍ପୂର୍ଣ୍ଣ କ୍ଷେତ୍ର ପ୍ରକମ୍ପିତ ହୋଇଥିଲା ।ପ୍ରଥମେ କଳସି ଶୋଭାଯାତ୍ରା ସମାପନପରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ଯଜ୍ଞକାର୍ଯ୍ୟ ବିଧିପୂର୍ବକ ସମ୍ପନ୍ନ କରାଯାଇ ଦାରୁ ଛେଦନ କାର୍ଯ୍ୟକ୍ରମ କରାଯାଇଥିଲା ।ସ୍ବତନ୍ତ୍ରଭାବେ ତିଆରି ହୋଇଥିବା ଶଗଡି ମାଧ୍ୟମରେ ଦାରୁଙ୍କୁ ବିଗ୍ରହ ନିର୍ମାଣସ୍ଥଳକୁ ନିଆଯାଇଥିଲା ।ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭ୍ୟ ତଥା ମହାସଭା ବରିଷ୍ଠ ସଭ୍ୟ ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର ,ଉଦୟନାଥ ମିଶ୍ର ଏବଂ ରାମଦାସ ମଠ ବାବାଜୀ ମହାରାଜ ତମାଳ କୃଷ୍ଣ ଦାସ ଏବଂ ପୁରୀରୁ ଆସିଥିବା କାରିଗର ମାନଙ୍କ ଦ୍ୱାରା ଦାରୁ ନିର୍ମାଣ କାର୍ଯ୍ୟ ସମାପନ କରାଯିବ ବୋଲି କୋମଣ୍ଡ ସରପଞ୍ଚ ସୁଶାନ୍ତ ଦଳେଇ ସୂଚନା ଦେଇଥିଲେ ।ସୁଦୂରରୁ ଆସିଥିବା ନାଗାବାବାଙ୍କ ଉପସ୍ଥିତି ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ଉଜ୍ଜୀବିତ କରିବା ସହ ଆଧ୍ୟାତ୍ମିକ ପରିବେଶକୁ ଦ୍ବିଗୁଣିତ କରିଥିଲା ।ଦାରୁଙ୍କ ଛେଦନ ପରେ ମହାପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ଯେକୌଣସି ସମୟରେ କରାଯାଇପାରିବ ବୋଲି ପୁରୀ ମୁକ୍ତିମଣ୍ଡପ ପ୍ରତିନିଧିମାନେ କହିଥିଲେ ।







