ବରଗଡ଼, (ବାଘୁଆବାର୍ତ୍ତା): ୧୪ ବର୍ଷର ନାବାଳକଙ୍କୁ ହତ୍ୟା । ବରଗଡ଼ ଭଟଲି ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ିଆ ଗାଁରୁ ଆସିଛି ଏଭଳି ଅଭିଯୋଗ । ନବମ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡକୁ ପଥର ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ଜଣଙ୍କ ହେଉଛନ୍ତି କେନ୍ଦୁଗୁଡ଼ିଆ ଗାଁର ସମୀର ପ୍ରଧାନ । ଗତକାଲି ସକାଳୁ ସାଇକେଲ ଧରି ଖେଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ନପାଇବାରୁ ଭଟଲି ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ ବାପା ଦିବ୍ୟାଲୋଚନ ପ୍ରଧାନ । ଆଜି ସକାଳେ କେନ୍ଦୁଗୁଡ଼ିଆ ଗ୍ରାମରୁ ୫ କିଲୋମିଟର ଦୁର ପଣ୍ଡ୍ରିତରେଇ ଜଙ୍ଗଲରେ ମହୁଲ ଗୋଟାଇବାକୁ ଯାଇଥିବା କିଛି ଲୋକ ସମୀରର ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ । ସେଠାରେ ସାଇକେଲ ଓ ଚପଲ ପଡ଼ିଥିଲା । ଏବଂ ଏକ ରକ୍ତଲଗା ପଥର ମଧ୍ୟ ଶବ ନିକଟରେ ପଡ଼ିଥିବା ଖବର ପ୍ରଚାରିତ ହେଵା ପରେ ମୃତ ନାବାଳକଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।





