ଫୁଲବାଣୀ, (ବାଘୁଆବାର୍ତ୍ତା): ସାଇବର ଠକେଇ ଲିଙ୍କ୍ରେ ଦାରିଙ୍ଗବାଡ଼ିର ଯୁବକ ଗିରଫ। ବୁଧବାର ବିଳମ୍ଵିତ ରାତିରେ ଦାରିଙ୍ଗବାଡ଼ିର ପ୍ରିୟବ୍ରତ ସାହୁଙ୍କୁ ଘରୁ ଉଠାଇନେଲା ପଶ୍ଚିମବଙ୍ଗ ପୋଲିସ। ଚନ୍ଦନନଗର ସାଇବର ଥାନା ପୋଲିସ ପ୍ରିୟବ୍ରତଙ୍କୁ ଗିରଫ କରିଛି। ସୂଚନାନୁଯାୟୀ, ପଶ୍ଚିମବଙ୍ଗ ଚନ୍ଦନନଗର ସାଇବର ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା। ଏଥିରେ ପ୍ରିୟବ୍ରତଙ୍କ ସମ୍ପୃକ୍ତି ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ବୁଧବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ପୋଲିସ ଦାରିଙ୍ଗବାଡ଼ିରେ ପହଞ୍ଚି ପ୍ରିୟବ୍ରତଙ୍କୁ ଗିରଫ କରିଛି। ପ୍ରିୟବ୍ରତଙ୍କ ବ୍ୟାଙ୍କ ଖାତାକୁ ୨୩ ଲକ୍ଷ ଟଙ୍କା ଆସିଥିବା ପ୍ରମାଣ ମିଳିଛି। ପଶ୍ଚିମବଙ୍ଗ ପୋଲିସ ଟିମ୍ ଏନେଇ ଦାରିଙ୍ଗବାଡ଼ି ପୋଲିସକୁ ସୂଚନା ଦେଇଛି। ପ୍ରିୟବ୍ରତଙ୍କୁ ଦାରିଙ୍ଗବାଡ଼ି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଇ ଟ୍ରାନ୍ଜିଟ ରିମାଣ୍ଡ୍ରେ କୋଲକାତା ନିଆ ଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁକୁ ହୋଲ୍ଡ କରି ଦିଆଯାଇଛି। ପ୍ରିୟବ୍ରତଙ୍କ ଏକ ନିଜସ୍ଵ ନ୍ୟୁଜ ପୋର୍ଟାଲ ଥିବା ଜଣାପଡିଛି।





