ନୟାଗଡ଼,(ବାଘୁଆବାର୍ତ୍ତା): ଖୋର୍ଦ୍ଧା-ବଲାଙ୍ଗିରୀ ରେଳପଥ ନିର୍ମାଣରେ ହେଉଛି ଅନିୟମିତତା । କେନ୍ଦ୍ର ସରକାରଙ୍କ ରେଳ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ନିର୍ମାଣ କରା ଯାଉଥିବାରୁ ମନଇଚ୍ଛା କାର୍ଯ୍ୟ କରୁଛନ୍ତି ଠିକା ସଂସ୍ଥା । ରେଳରାସ୍ତା ନିର୍ମାଣ କରିବାରେ ଯେଉଁ ଯେଉଁ ପଦକ୍ଷେପ ନେବା କଥା ତାହା ନକରି ମନଇଚ୍ଛା ନିର୍ମାଣ କରୁଥିବା ଜଣାପଡିଛି । ଏଭଳି ଅନିୟମିତା କରୁଥିବାର ଅଭିଯୋଗ ଆସିଛି ନାରାୟଣ ଦାସ ପ୍ରାଇଭେଟ ଲିମିଟେଡ ସଂସ୍ଥା ନାଁରେ । ସୂଚନାନୁସାରେ, ଦୀର୍ଘ ବର୍ଷହେଲା ଖୋର୍ଦ୍ଧା-ବଲାଙ୍ଗିରୀ ରେଳପଥ ନିର୍ମାଣ ଚାଲିଥିବା ବେଳେ ଏହି ରାସ୍ତା ଖୋର୍ଦ୍ଧାଠାରୁ ମହିପୁର ପର୍ଯ୍ୟନ୍ତ ରେଳପଥ ନିର୍ମାଣ ଶେଷ ସ୍ପର୍ଶ ପାଇଛି ।
ଖୋର୍ଦ୍ଧାରୁ ମହିପୁର ପର୍ଯ୍ୟନ୍ତ ରେଳ ଚଳାଚଳ ହେଉଛି । ମାତ୍ର ମହିପୁରଠାରୁ ନୂଆଗାଁ ପର୍ଯ୍ୟନ୍ତ ରେଳପଥ ସଂପ୍ରସାରଣ କରିବା ନେଇ ଦ୍ରୁତଗତିରେ କାମ ଚାଲିଛି । ସେଥିପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଏହା ସଠିକ୍ ଉପଯୋଗ ନକରି ଠିକା ନେଇଥିବା ସଂସ୍ଥା ନିମ୍ନମାନର କାମ କରି ଅର୍ଥ ବାଟମାରଣା କରୁଛି । ଉକ୍ତ କାମକୁ ଠିକା ନେଇଥିବା ନାରାୟଣ ଦାସ ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ମନମାନିରେ ନିମ୍ନମାନର କାମ କରୁଥିବା ନଜରକୁ ଆସିଛି । ନାରାୟଣ ଦାସ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣରେ କରାଯାଉଥିବା ବିଜ୍ ୧୩୧, ୧୩୯ ଓ ୧୪୧ନମ୍ବର ୩ଟି ବ୍ରିଜ୍ କାମ କରୁଥିବା ବେଳେ ୧୪୧ନଂ ବ୍ରିଜ୍ ନିର୍ମାଣରେ ନିମ୍ନମାନର କରାଯାଉଥିବା ଜଣାପଡିଛି । ବ୍ରିଜ୍ ନଂ ୧୪୧ରେ ଫିଲଟର୍ ମିଡିଆ ନିର୍ମାଣ ହେଉଥିବା ପଥର ପ୍ୟାକିଂ, ର୍ୟାପ୍ଟ ଠାରୁ ହେବାର ନିୟମ ଥିବା ବେଳେ ଉକ୍ତ ଠିକା ସଂସ୍ଥା ବ୍ରିଜ ର୍ୟାପ୍ ଠାରୁ ୫ମିଟର ମାଟି ପୋତି ତା’ଉପରୁ ପଥର ପ୍ୟାକିଂ କରୁଥିବା ନଜରକୁ ଆସିଥିଲା । ସେହିଭଳି ବାଲି ବଦଳରେ ମାଟି ଫିଲିଂ କରାଯାଉଛି ।

କଳାମୁଗୁନି ପଥର ପରିବର୍ତ୍ତେ କୁଣ୍ଡା ପଥର ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି । ଯାହା ରେଳପଥ ନିର୍ମାଣର ଅନିୟମିତତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ରେଳ ଯାତ୍ରାର ସୁରକ୍ଷା ପାଇଁ ନିର୍ମାଣ ହେଉଥିବା ରାସ୍ତାରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଥିବା ବେଳେ ଉକ୍ତ ସଂସ୍ଥା କେନ୍ଦ୍ର ସରକାରଙ୍କ କାମ, ଏଥିରେ ନିମ୍ନମାନର ହେବାର ପ୍ରଶ୍ନ ଉଠୁନି କହି ଗାଲୁଗପ ମାରୁଛନ୍ତି ଠିକା ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ଅପୂର୍ବ କୁମାର । ତେବେ ରେଳପଥ ନିର୍ମାଣରେ କରାଯାଉଥିବା ବ୍ରିଜ୍ରେ ର୍ୟାପ୍ଟ ଠାରୁ ପଥର ପ୍ୟାକିଂ କରାଯିବାର ନିୟମ ରହିଥିବା ନେଇ ଅନ୍ୟ ଏକ ଠିକା ସଂସ୍ଥାର ଇଂଜିନୟର କହୁଥିବା ବେଳେ ନାରାୟଣ ଦାସ ପ୍ରାଇଭେଟ୍ ଲିଟିଟେଡ୍ ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜରଙ୍କ ଗାଲୁଗପ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପଥ ନିର୍ମାଣର ଦାତିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଅଙ୍କିତ ପଣ୍ଡାଙ୍କୁ ଫୋନ୍ କରିଥିଲେ ମଧ୍ୟ ଫୋନ୍ ଉଠାଇ ନଥିଲେ । ତେବେ ଏହି ରେଳପଥ ନିର୍ମାଣକୁ ଗୁରତର ସହିତ ନେଇ ଏହାକୁ ତଦନ୍ତ କରି ଉକ୍ତ ସଂସ୍ଥା ଉପରେ ଦଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି । ନୟାଗଡ଼ ଜିଲ୍ଲାପାଳ ମଧ୍ୟ ଏହା ଉପରେ ଦୃଷ୍ଟି ଦେଇ କେନ୍ଦ୍ର ରେଳ ମନ୍ତ୍ରାଳୟକୁ ଦୁର୍ନିତୀ ସଂମ୍ପର୍କରେ ଅବଗତ କରିବା ପାଇଁ ଦାବି ହେଉଛି ।






