ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ନୟାଗଡ଼ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ ଲଳିତ କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ପ୍ରକାଶ କୁମାର ତ୍ରିପାଠୀ ପ୍ରମୂଖ ମଞ୍ଚାସୀନ ହୋଇଥିଲେ । ଜିଲ୍ଲା ପରିଷଦ ତଥା ଜିଲ୍ଲା ଜୀବିକା ମିଶନ ପକ୍ଷରୁ ଆୟୋଜିତ କର୍ମଶାଳାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରାଉତ ନୟାଗଡ଼ ଜିଲ୍ଲା ଲକ୍ଷପତି ଟାର୍ଗେଟଠାରୁ ବହୁ ତଳେ ରହିଛେ ବୋଲି କହିଥିଲେ । ଆଜିର କର୍ମଶାଳାରେ ୩ ହଜାର ୫ ଶହରୁ ଉର୍ଦ୍ଧ୍ୱ ମହିଳା ସାମିଲ ହୋଇଥିଲେ । କର୍ମଶାଳା ଶେଷ ହେବା ପରେ ଖାଦ୍ୟ ପାଇଁ ମହିଳାଙ୍କ ମଧ୍ୟରେ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଥିଲା । ବ୍ୟାପକ ଅବ୍ୟବସ୍ଥା ଏବଂ ବିପର୍ଯ୍ୟସ୍ତ ପରିଚାଳନା ପାଇଁ ଅନେକ ମହିଳା ଖାଦ୍ୟ ନପାଇ ଭୋକ ଉପାସରେ ଆଉଟପାଉଟ ହୋଇଥିଲେ । କିଛି ମହିଳାଙ୍କ ମଧ୍ୟରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା । ପାଣି ବୋତଲ ମାଡ଼ ମଧ୍ୟ ହୋଇଥିବା ଦେଖାଯାଇଥିଲା । ଜଣେ ମହିଳାଙ୍କ ଆଖିରେ ପାଣି ବୋତଲ ବାଜିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।





