ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଶରଣକୁଳ ନିକଟସ୍ଥ ବାଉଁଶିଆ ଠାରେ ଭିନ୍ନକ୍ଷମ, ଅସହାୟ, ଦୁସ୍ତ ଓ ବୃଦ୍ଧ, ବୃଦ୍ଧାଙ୍କ ଥଇଥାନ, ସ୍ୱାସ୍ଥ୍ୟ ଓ ଭିନ୍ନକ୍ଷମ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ଦିଗରେ ଅହରହ ଉଦ୍ୟମ ଜାରି ରଖିଥିବା ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଆଶ୍ରୟ’ ଦିବ୍ୟାଙ୍ଗ ସେବା ଗ୍ରାମ ପରିସର ମଧ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ‘ଆଶ୍ରୟ’ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରାଜ୍ୟର ଜଣାଶୁଣା ସାମାଜିକ କର୍ମୀ ଲୋକନାଥ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଓ ବିଭିନ୍ନ ବର୍ଗର ମହିଳା ମାନଙ୍କ ସହିତ ‘ଆଶ୍ରୟ’ର ମହିଳା ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀ ମାନେ ଉପସ୍ଥିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଓ ଅସହାୟ ମହିଳାମାନେ ସମାଜରେ କିପରି ଆତ୍ମ ନିର୍ଭରଶୀଳ ହୋଇ ନିଜେ ରୋଜଗାର କ୍ଷମ ହୋଇପାରିବେ ଓ ସମାଜରେ ପ୍ରତିଷ୍ଠିତ ହୋଇ ସମାଜର ବିକାଶ ଧାରାରେ ସାମିଲ ହୋଇ ପାରିବେ ଏହା ଉପରେ ବିଷଦ ଭାବରେ ଆଲୋଚନା ହୋଇଥିଲା । ମହିଳା ମାନେ କିପରି ସାମାଜିକ ସୁବିଧା, ସାମାଜିକ ସୁରକ୍ଷା ଉପଲବ୍ଧ ପାଇପାରିବା ସହ ନିଜେ ସ୍ୱାବଲମ୍ବୀ ହୋଇ ସମାଜରେ ଗୁରୁ ଦାଇତ୍ୱ ବହନ କରିପାରିବେ ତାହା ଉପରେ ନିଜନିଜର ମତାମତ ପ୍ରଦାନ କରିଥିଲେ । “ଆମେ ମହିଳା ନୋହୁଁ ଦୁର୍ବଳା” ବୋଲି ଜନ ସଚେତନତା ସ୍ଲୋଗାନ ଆଦି ଦେଇଥିଲେ । ମହିଳା ଦିବସରେ ସମାଜ ପାଇଁ କିଛି ଭଲ କାମ କରିବାକୁ ମହିଳା ମାନେ ଦୃଢ଼ ସଙ୍କଳ୍ପ କରିଥିଲେ । କୁନ୍ତଳା ପାଢ଼ୀ, ସୁନ୍ଦରୀ ଦେଇ, କନକ ପାଢ଼ୀ, ଲକ୍ଷ୍ମୀ ପାଢ଼ୀ, ନହଲୀ ପାଢ଼ୀ, ବାସନ୍ତୀ ନାହାକ ଓ ତିଳୋତ୍ତମା ନାହାକ ପ୍ରମୁଖ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ରାମକୃଷ୍ଣ ମହାରଣା ଓ ପ୍ରଫୁଲ୍ଲ ନାହାକ ସଂଯୋଜନା କରିଥିବା ବେଳେ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ ଆନନ୍ଦ ଚନ୍ଦ୍ର ପାଢ଼ୀ, ହରିହର ସାହୁ ଓ ବାମଦେବ ମହାପାତ୍ର ।





