ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ନୟାଗଡ଼ ସହରର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଏକ ସ୍ବନାମଧନ୍ୟ ପୁରାତନ ବିଦ୍ୟାଳୟ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଲେଜ ଲେନ, ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନେହାଞ୍ଜଳି ସିଂହ ଦେଓଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ମୁଖ୍ୟ ଅତିଥି ନୟାଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଉଦଘାଟନ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଵକ୍ତା ରୂପେ ବିଶିଷ୍ଟ କବି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଗୋଦାବରୀଶ ମିଶ୍ର ଏବଂ ସମ୍ମାନିତ ଅତିଥି ରୂପେ କାଉନସିଲର ଶ୍ରୀ ଜାନକୀ ବଲ୍ଲଭ ଜେନା ନୟାଗଡ଼ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ସଞ୍ଜୟ କୁମାର ମଲ୍ଲିକ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ପଦ୍ମଚରଣ ସାହୁ, CRCC ଶ୍ରୀ ପ୍ରଦୀପ କୁମାର ପଣ୍ଡା ଓ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ସାହୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ବାର୍ଷିକ ବିବରଣୀ ପାଠ କରିବା ସହ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ କୃତିତ୍ୱ ବିଷୟରେ ସୂଚନା ଦେଇଥିଲେ ଓ ବିଦ୍ୟାଳୟର କେତେକ ସମସ୍ୟା ଯଥା: ଶ୍ରେଣୀ ଗୃହ ଓ ପାଚେରୀର ଆବଶ୍ୟକତା ସହ ଶିକ୍ଷକ ଆବଶ୍ୟକତା ବିଷୟରେ ଅତିଥି ମାନଙ୍କୁ ଅବଗତ କରି ସହାୟତା ଲୋଡ଼ିଥିଲେ। ଅତିଥିମାନେ ପିଲାମାନଙ୍କୁ ଭଲ ପାଠ ପଢି ଭବିଷ୍ୟତରେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ପରେ ପରେ ଚଳିତ ଶିକ୍ଷା ବର୍ଷ ରେ ସମାପ୍ତି ସୂଚକ ଆକଳନ -୧ ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କ୍ରୀଡା ପ୍ରତିଯୋଗିତାରେ ବିଭିନ୍ନ ଖେଳ ଯଥା ପୁଚି, ଦଉଡି ଡିଆଁ, ଆଳୁ ଚାମଚ, ଗଣିତ ଦୌଡ଼, ମ୍ୟୁଜିକ ଚେୟାର ଆଦି ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ସୋସିଆଲ ମିଡ଼ିଆ ଓ ବାଳିକା ସଶକ୍ତିକରଣ ଉପରେ ପର୍ଯ୍ୟବେଶିତ ଦୁଇଟି ସଚେତନାତ୍ମକ ନୃତ୍ୟ ପରିବେଷିତ ହୋଇଥିଲା ଯାହାକି ସମସ୍ତଙ୍କର ମନ ମୋହିଥିଲା। ଉଦଯାପନୀ ଉତ୍ସବରେ ଅତିଥିରୂପେ ନୟାଗଡ଼ ସମଗ୍ର ଶିକ୍ଷାର କାର୍ଯ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ସୁଶ୍ରୀ ଶ୍ରାବଣୀ ମିଶ୍ର ଓ ଜିଲ୍ଲା SC & ST ସଂଯୋଜିକା ଶ୍ରୀମତୀ ଶୁଭସ୍ମିତା ଦାଶ ଯୋଗଦେଇ ପିଲାମାନଙ୍କୁ ଜୀବନ ଗଠନ ପାଇଁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ। ଏଥି ସହିତ ସ୍ୱଚ୍ଛତା, ଶୃଙ୍ଖଳା, ନିୟମିତତା, ନେତୃତ୍ୱ, ଶ୍ରେଷ୍ଠ ସ୍ବେଚ୍ଛାସେବୀ,ଶ୍ରେଷ୍ଠ ଅଭିନୟ, ଶ୍ରେଷ୍ଠ ନୃତ୍ୟ ଓ ସଂଗୀତ ଆଦି କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଶେଷରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରିବେଷଣ ଦାୟିତ୍ୱରେ ଥିବା ଦୁଇ ପାଚିକା ସହାୟିକା ସୁକାନ୍ତି ପରିଡା ଓ ସୁବାସିନୀ ବସ୍ତି ଙ୍କୁ ମଧ୍ୟ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସୁଜାତା ପଟ୍ଟନାୟକ ଓ କଳା ଶିକ୍ଷକ ସୁରେନ୍ଦ୍ର ନାଥ ସାହୁଙ୍କ ସମେତ ସମସ୍ତ ପରିଚାଳନା କମିଟି ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷକ ଦେବରାଜ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।





