ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପରିଷଦ ନବମ ସାଧାରଣ ଅଧିବେଶନ ସୃଜନ ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ପ୍ରମୂଖ ମଞ୍ଚାସୀନ ହୋଇଥିଲେ । ନୟାଗଡ଼ ବିଧାୟକ ତାଙ୍କ ବକ୍ତବ୍ୟରେ ଜିଲ୍ଲାକୁ ଆଗକୁ ନେବାକୁ ହେଲେ ସମ୍ମିଳିତ ଉଦ୍ୟମ କରିବାକୁ ପଡ଼ିବ ବୋଲି କହିଥିଲେ । ଜିଲ୍ଲାରେ ବିକାଶ ମୂଳକ କାର୍ଯ୍ୟ ହେଉନଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ । କାମ କରିବା ପାଇଁ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବାଚସ୍ପତି ସରକାରୀ ଅଧିକାରୀଙ୍କୁ ଆଜି ବୈଠକରେ କଡ଼ା ଚେତାବନୀ ଦେଇଛନ୍ତି । କାମ ନକରିବାକୁ ଅସମର୍ଥ ଅଧିକାରୀ ନିଜ ଚେଷ୍ଟାରେ ଜିଲ୍ଲା ଛାଡ଼ନ୍ତୁ କିମ୍ବା ଘରେ ବସନ୍ତୁ ବୋଲି କହିଥିଲେ । ବୈଠକରେ ବନବିଭାଗ ସମ୍ପର୍କରେ ଆଲୋଚନା ହୋଇଥିଲା । ବନବିଭାଗକୁ ନେଇ ରହିଥିବା ଅନେକ କ୍ଷୋଭ ସଦସ୍ୟଙ୍କଠାରେ ପରିଲକ୍ଷିତ ହୋଇଥିଲେ । ଖୋର୍ଦ୍ଧା ଡିଏଫ୍ଓ ବୈଠକକୁ ନଆସି ଏସିଏଫଓଙ୍କୁ ପଠାଇବାକୁ ନେଇ ତୁମ୍ବି ତୋଫାନ ହୋଇଥିଲା । ଉତ୍ତର ନରଖି ପାରି ଏସିଏଫଓ ହଟହଟା ହୋଇଥିଲେ । ଏପରିକି ତଥ୍ୟ ନଆଣିଥିଲେ ବୈଠକରୁ ଫେରି ଯିବା ପାଇଁ ବାଚସ୍ପତ ତାଗିଦ କରିଥିଲେ । ନୟାଗଡ଼ ବନବିଭାଗ କାର୍ଯ୍ୟ ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ସମ୍ପର୍କରେ ପ୍ରସ୍ତାବ ପାରିତ ହୋଇଥିବା ବେଳେ କାହିଁକି କାର୍ଯ୍ୟକାରୀ କରାଯାଇନାହିଁ ବୋଲି ବରିଷ୍ଠ ସଦସ୍ୟ ରାମେଶ୍ୱର ଶତପଥି ପ୍ରଶ୍ନ କରିବା ସହ ଅସନ୍ତୋଷ ଜାହିର କରିଥିଲେ । ଏହା ସହିତ ଜଳସେଚନ ଓ କ୍ଷୁଦ୍ର ଜଳସେଚନ କାର୍ଯ୍ୟ ପରଖିବା ପାଇଁ କମିଟି ଗଠନ ହୋଇନଥିବାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଜିଲ୍ଲାରେ ଶିକ୍ଷକ ପଦବୀ ଖାଲି ଥିବା ଏବଂ ବିଭିନ୍ନ ବିଦ୍ୟାଳୟରେ ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରୀକ୍ଷା ଚାଲିଥିବା ବେଳେ ନୂଆଗାଁ ଉଚ୍ଚ ବିଦ୍ୟାଳୟ ଓ କଲେଜ ପଡ଼ିଆରେ ମହୋତ୍ସବ କରିବାକୁ କିଭଳି ଅନୁମତି ଦିଆଯାଇଛି ବୋଲି ଜିଲ୍ଲା ପରିଷଦ ସଦସ୍ୟ ପ୍ରଶ୍ନ କରିବା ସହ ଏହାକୁ ବାତିଲି କିମ୍ବା ସ୍ଥାନନ୍ତରଣ କରିବାକୁ ପ୍ରସ୍ତାବ ଦେଇଥିଲେ । ଜିଲ୍ଲାପାଳ ଏହାକୁ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ଧାନ ମଣ୍ଡି କଟନୀ ଛଟନୀକୁ ନେଇ ଆଲୋଚନା ହୋଇଥିଲା । ବିଭିନ୍ନ ମଣ୍ଡିରେ ରହିଥିବା ସମସ୍ୟା ଓ ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ, ରାଜ୍ୟ ପଞ୍ଚମ ଅର୍ଥ କମିଶନ ଉପରେ ଆଲୋଚନା କରାଯାଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇ ଜିଲ୍ଲା ପରିଷଦ ସଦସ୍ୟଙ୍କଠାରୁ ପ୍ରସ୍ତାବ ଆଗତ କରାଯାଇଥିଲା । କଳାକାର ଭତ୍ତାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ୭୦ ଜଣ କଳାକାରଙ୍କୁ ଭତ୍ତା ପାଇଁ ଚୟନ କରାଯାଇଥିବା ବେଳେ କାହିଁକି ଭତ୍ତା ପ୍ରଦାନ କରାଯାଉନାହିଁ ବୋଲି ସଦସ୍ୟ ବିଜୟ ସାମନ୍ତରାୟ ସଂସ୍କୃତି ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଏହା ସହିତ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ବିଦ୍ୟୁତ୍, ସମବାୟ ଓ ବନବିଭାଗ ଖୋର୍ଦ୍ଧା ଅଧିନରେ ରହୁଥିବାରୁ ଏହାକୁ ନୟାଗଡ଼ ଜିଲ୍ଲା ଅଧିନକୁ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଜି ବୈଠକରେ ପ୍ରସ୍ତାବ ପାରିତ ହୋଇଛି । ବାଚସ୍ପତି ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଆଜିର ବୈଠକରେ ସାଂସଦ ପ୍ରତିନିଧି, ବିଭିନ୍ନ ବ୍ଲକ ଅଧ୍ୟକ୍ଷ, ବିଡିଓ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।





