ନୟାଗଡ଼,(ବାଘୁଆବାର୍ତ୍ତା): ଇଟାମାଟି ବାମନ ଅବକାଶ ଉଚ୍ଚ ବିଦ୍ୟାଳୟର ୧୯୬୮ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଆର୍ଶୀବାଦ କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ୪୦ ଜଣ ବୟସ୍କ ଛାତ୍ରବନ୍ଧୁ ଏକତ୍ରିତ ହୋଇ ପରସ୍ପର ମଧ୍ୟରେ ଆଲୋଚନା କରିବା ସହିତ ଅତୀତ ସ୍ମୃତିକୁ ମନେ ପକାଇ ସ୍ମୃତିଚାରଣ କରିଥିଲେ । ଜଗନ୍ନାଥ ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇ ଦିବଂଗତ ବନ୍ଧୁ ୰ବେଣୁଧର ଚଣ୍ଡ ଓ ୰ ଅଜ୍ଜୁର୍ନ ବେହେରାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ବାମନ ଅବକାଶ ବିଦ୍ୟାଳୟର ଉନ୍ନତି କରଣ ପାଇଁ ୧୯୬୮ମସିହାର ଛାତ୍ରଛାତ୍ରୀମାନେ ମିଳିତ ଭାବେ ୧ଲକ୍ଷ ଟଙ୍କା ସଂଗ୍ରହ କରି ‘ମୋ ସ୍କୁଲ’ ଅଭିଯାନକୁ ଦାନ କରିଥିଲେ । ବାର୍ଦ୍ଧକ୍ୟର ତାଡନା ସତ୍ୱେ ବହୁ ଦୂରଦୂରାନ୍ତରୁ ଆସିଥିବା ଛାତ୍ର ବନ୍ଧୁମାନଙ୍କର ଅପୂର୍ବ ମିଳନର ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା । ପରିଶେଷରେ ବନ୍ଧୁମାନଙ୍କ ସହିତ ଭୋଜିଭାତର ଆସର ଜମିଥିଲା । କୃଷ୍ଣକୁମାର ପଟ୍ଟନାୟକ, ପଞ୍ଚାନନ ଡାକୁଆ, ବାଲୁଙ୍କି ସାହୁ, ବାଇଧର ପରିଡ଼ା, ମହେଶ୍ୱର ମହାନ୍ତି ଓ ପଞ୍ଚୁ ଭୂୟାଁଙ୍କ ମିଳିତ ଉଦ୍ୟମରେ ସମସ୍ତ ପୁରାତନ ବନ୍ଧୁ ଏକତ୍ରିତ ହୋଇଥିବା ଜଣାପଡିଛି ।





