ପାଲଲହଡ଼ା, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ୨୪ଘଣ୍ଟା ନ ପୂରୁଣୁ ଆଜି ଅନୁଗୋଳ ଜିଲ୍ଲା ପାଲଲହଡ଼ାରୁ ପୁଣି ସମାନ ଧରଣର ଏକ ଘଟଣା ପଦାକୁ ଆସିଛି। ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମହିଳାଙ୍କ ଶବ ଏକ ନବର୍ନିମିତ ଅଙ୍ଗନବାଡ଼ି କେନ୍ଦ୍ରରୁ ଉଦ୍ଧାର ହୋଇଛି। ମହିଳାଙ୍କ ଯୌନାଙ୍ଗରେ ଗଭୀର କ୍ଷତ ରହିଛି। ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ୍ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ମୃତ ମହିଳା ଓ ତାଙ୍କ ସ୍ୱାମୀ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଡେରାପଥର ଗାଁରେ ବିଭିନ୍ନ ଲୋକଙ୍କ ଗାଈ ଚରାଇ ନିଜ ପରିବାର ପ୍ରତିପୋଷଣ କରନ୍ତି। ଗୁରୁବାର ବିପିଏଲ ଚାଉଳ ଉଠାଇବା ପାଇଁ ମହିଳାଜଣଙ୍କ ନିଜ ଗାଁରୁ ଏକୁଟିଆ ଆସିଥିଲେ। ପଞ୍ଚାୟତ କାର୍ଯ୍ୟାଳୟରୁ ୩୫ କେଜି ଚାଉଳ ଧରି ଘରକୁ ଯାଇଥିଲେ। ତେବେ ଶୁକ୍ରବାର ସନ୍ଧ୍ୟାରେ ଗାଁର ପିଲାମାନେ ନିର୍ମାଣଧୀନ ଅଙ୍ଗନବାଡ଼ି କେନ୍ଦ୍ର ସାମନାରେ ଖେଳୁଥିବା ବେଳେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ବାରଣ୍ଡାରେ ପଡ଼ିଥିବା ଦେଖିଥିଲେ। ମହିଳାଙ୍କ ଶାଶୂ ଓ ଶଶୁର ସେହି ଗାଁରେ ଅଲଗା ଘରେ ରହୁଥିବା ବେଳେ ମହିଳାଙ୍କ ପରିବାର ଅଙ୍ଗନବାଡ଼ି କେନ୍ଦ୍ର ନିକଟ ଏକ ଘରେ ରହୁଥିଲେ। ମିଳିଥିବା ସୂଚନାନୁସାରେ, ଗୁରୁବାର ସନ୍ଧ୍ୟାରେ ଗ୍ରାମର ଦୁଇଜଣ ଯୁବକ ମହିଳାଙ୍କୁ ଘରୁ ଡାକି ନେଇଥିଲେ। କିନ୍ତୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମହିଳା ଘରକୁ ନ ଫେରିବାରୁ ପରିବାରଲୋକେ ଖୋଜାଖୋଜି କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ମୃତଦେହ ପାଇଥିଲେ। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।





