ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଲେଖନପୁରଠାରେ ସ୍ଥାପିତ ବୃଦ୍ଧାଶ୍ରମ ସମର୍ପଣରେ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ସଭାପତିତ୍ୱରେ ଏକ ସମ୍ପର୍କ ସମାବେଶ ଶନିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷିକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୌର କାର୍ୟ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ବିଡିଓ ମନୋଜ କୁମାର ପାତ୍ର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ଯୋଗ ଦେଇଥିଲେ। ସମର୍ପଣ ପରିଚାଳନା କମିଟିର କାର୍ୟ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଅରୁଣ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଅନୁଷ୍ଠାନ ପରିଚଳନା ତଥା କଳେବର ବୃଦ୍ଧିରେ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତି ଧନ୍ୟବାଦ ପ୍ରଦାନ କରିବା ସହିତ ପ୍ରତିଦିନ ରୋଷେଇ ପାଇଁ ପରିବା ଯୋଗାଉଥିବା ପରିବା ବ୍ୟବସାୟୀ ସଂଘ ଓ ପ୍ରତ୍ୟେକ ମାସରେ ଅନ୍ତେବାସୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ଡାକ୍ତର ବନ୍ଧୁଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଆଶ୍ରମ ପରିସରରେ ପ୍ଳେ ସ୍କୁଲ, ପରିବା ବଗିଚା ଆଦି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାରେ ଏହାକୁ ସର୍ବଶ୍ରେଷ୍ଠ ଜରାଶ୍ରମ ଭାବେ ଗଢ଼ି ତୋଳିବା ମୁଖ୍ୟ ଅତିଥି ଆହ୍ୱାନ ଦେଇଥିଲେ । ଏଥିସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ବୃଦ୍ଧାଶ୍ରମକୁ ବୁଲି ଦେଖବା ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଏହା ଦ୍ୱାରା ଭବିଷ୍ୟତରେ ଭାରତ ବର୍ଷରେ ବୃଦ୍ଧାଶ୍ରମର ଆବଶ୍ୟକତା ରହିବ ନାହିଁ ସେ ମତବ୍ୟକ୍ତ କରିଥିଲେ । କାର୍ୟ୍ୟନିର୍ବାହୀ ସଦସ୍ୟ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ପ୍ରତ୍ୟେକ ମାସରେ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର ରାଜେଶ କୁମାର ମିଶ୍ର, ଡାକ୍ତର ବିଭୁତି ଭୂଷଣ ଦଳେଇ, ଫାର୍ମାସିଷ୍ଟ ପ୍ରତିଭା ମିଶ୍ର, ପାଥୋଲୋଜିସ୍ଟ ପ୍ରଫୁଲ୍ଲ କୁମାର ବେହେରା, ବୈଦ୍ୟ ଜନ୍ମେଜୟ ମହାନ୍ତି, ଆକ୍ୟୁପ୍ରେସର ସେବା ପାଇଁ ସମାଜସେବୀ ଭାସ୍କର ଚନ୍ଦ୍ର ସାହୁ ଓ ପ୍ରତିଦିନ ପରିବା ଯୋଗାଉଥିବା ପରିବା ବ୍ୟବସାୟୀ ସଂଘ ସଭାପତିଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ସମର୍ପଣର ଅଭିବୃଦ୍ଧି ନିମିତ୍ତ ଉପସ୍ଥିତ ବ୍ୟକ୍ତି ମାନେ ଅନେକ ପ୍ରସ୍ତାବ ଦେଇଥିଲା ବେଳେ ସମର୍ପଣର କାର୍ୟ୍ୟନିର୍ବାହୀ ସଦସ୍ୟ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଧିରେନ୍ଦ୍ର ପଟ୍ଟନାୟକ, ଅରୁଣ କୁମାର ମହାନ୍ତି, ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ ପ୍ରମୂଖ ଉପସ୍ଥିତ ଥିଲେ ।





