ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ବାମନ ଅବକାଶ ହାଇସ୍କୁଲ ପରିସରରେ ହେଉଥିବା ଯଦୁମଣି ଆଥଲେଟିକ୍ ଆସୋସିଏନ୍ ଆନୁକୂଲ୍ୟରେ ଇଟାମାଟି କପ୍ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ସେମି ଫାଇନାଲ୍ ଆଜି ଅନୁଷ୍ଠିତ ହୋଇଯାଇଛି । ତରତୁଆ ଫୁଟବଲ କ୍ଲବ ସହିତ ଚିଲିକା ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ତରତୁଆ ଫୁଟବଲ କ୍ଲବ ୨-୦ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ନୟାଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଲେକ୍ଟ୍ରି ଏସଡିଓ ଲକ୍ଷ୍ମୀଧର ବେହେରା ଓ ଇଟାମାଟି ଯୁକ୍ତ ୨ର ଅଧ୍ୟକ୍ଷ ଅଶୋକ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗେଦଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ତରତୁଆ ଫୁଟବଲ କ୍ଲବର ଆକାଶ ଦେହୁରୀ ମ୍ୟାଚରେ ଭଲ ପ୍ରଦର୍ଶନ କରି ମ୍ୟାନ ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ । ଆଜିର ଏହି ମ୍ୟାଚକୁ ମୁଖ୍ୟ ରେଫରୀ ଭାବେ ପ୍ରିୟ ବାହିନୀପତିଙ୍କ ସହିତ ସହକାରୀ ରେଫରୀ ଭାବେ ପ୍ରଫୁଲ୍ଲ କୁମାର ବେହେରା, ପ୍ରଶନ୍ନ ନାୟକ ଓ ଆଦିତ୍ୟ ରଂଜନ ସାହୁ ଖେଳକୁ ପରିଚାଳନା କରିଥିଲେ । ତେବେ ଆସନ୍ତା କାଲି ଅର୍ଥାତ୍ ରବିବାର ଦିନ ଇଟାମାଟି ସହିତ ତରତୁଆ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।





