ନୟାଗଡ଼,(ବାଘୁଆବାର୍ତ୍ତା): ଏକ ଶ୍ରମିକ ସଚେତନତା ରଥ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । ଏହି ଉନ୍ମୋଚନୀ ସଭାରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ସଭାପତି, ଜିଲା ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ସହିତ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ, ସହ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାନ, ଜ୍ଞାନରଞ୍ଜନ ସାହୁ, ସୁଶ୍ରୀ ପୂଜାରିନ ସାମଲ ଓ ସୁଶ୍ରୀ ମୋନିକା ସେଠ ଓ ଅନ୍ୟ ଶ୍ରମିକ ସଂଗଠନ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ ଶ୍ରମିକ ସଚେତନତା ରଥ ଏକ ମାସ ବ୍ୟାପୀ ଜିଲ୍ଲା ସମସ୍ତ ବ୍ଲକ, ଏନଏସି, ଶ୍ରମିକ ହାଟ, ଜନ ବହୁଳ ସ୍ଥାନ ଓ ନିର୍ମାଣଧୀନ କ୍ଷେତ୍ର ଗୁଡିକରେ ସଚେତନତା ସୃଷ୍ଟି କରିବା ସହ ରାଜ୍ୟ ସରକାର ଓ ଶ୍ରମ ବିଭାଗ ଜନାଭିମୁଖୀ ଓ ଶ୍ରମିକ କଲ୍ୟାଣ ଯୋଜନା ଗୁଡିକ କିଭଳି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ସଚେତନତା ସୃଷ୍ଟି କରିବ। ବିଭିନ୍ନ ଶ୍ରମ କଲ୍ୟାଣ ବୋର୍ଡ ମାଧ୍ୟମରେ ମିଳୁଥିବା ଶ୍ରମିକ ସହାୟତା ଯଥା ଓଡ଼ିଶା କୋଠବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ମାଧ୍ୟମରେ ମିଳୁଥିବା ଶ୍ରମିକ ସହାୟତା ଯୋଜନା ଗୁଡିକ ସହ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଓ ଅନ୍ତ ରାଜ୍ୟ ପ୍ରବାସୀ ଶ୍ରମିକଙ୍କ ଅଧିକାର ଓ କର୍ତ୍ତବ୍ୟ ଏବଂ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ନିୟମ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରିବ।





