ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ନର୍ଚରିଂ ନେଇବରହୁଡ୍ ଚ୍ୟାଲେଞ୍ଜରେ ବାଜିମାତ କରିଛି ରାଉରକେଲା ସ୍ମାର୍ଟ ସିଟି। ସାରା ଦେଶରେ ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି। ପ୍ରାକ୍ ଶୈଶବ କାଳ ଅର୍ଥାତ୍ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ସୁବିଧାକୁ ନଜରରେ ରଖି ସହରରେ କିଭଳି ବ୍ୟବସ୍ଥା କରାଯାଇପାରିବ, ସେହି ଆଧାରରେ ଏହି ପ୍ରତିଯୋଗିତା ବା ଚ୍ୟାଲେଞ୍ଜ ଆରମ୍ଭ କରାଯାଇଥିଲା। ଏହି ଚ୍ୟାଲେଞ୍ଜରେ ଶ୍ରେଷ୍ଠ ଚୟନିତ ସହରଗୁଡିକୁ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଶିଶୁ ବିକାଶ ଲାଗି ଆବଶ୍ୟକ ବୈଷୟିକ ସହାୟତା ଓ ସହଯୋଗ ଯୋଗାଇଦିଆଯିବ। ସର୍ବସାଧାରଣ ଖୋଲା ସ୍ଥାନ ଯେପରିକି ପାର୍କ ଏବଂ ଅନ୍ୟ ସ୍ଥାନ ମାନଙ୍କରେ ଶିଶୁ ମାନଙ୍କ ଚଳ ପ୍ରଚଳ ଲାଗି ଉତ୍ତମ ବ୍ୟବସ୍ଥା କରିବା, ସେମାନଙ୍କ ଅଭିଭାବକ ମାନଙ୍କ ଲାଗି ସୁବିଧା ଯୋଗାଇଦେବା ଏବଂ ଉନ୍ନତ ସେବା ପ୍ରଦାନ ଦିଗରେ ଚେଷ୍ଟିତ ହେବା ଏହି ଚ୍ୟାଲେଞ୍ଜର ମୂଳ ଲକ୍ଷ। ରାଉରକେଲା ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ଏହି ଚ୍ୟାଲେଞ୍ଜରେ ମିଳିଥିବା ସଫଳତାକୁ ନେଇ ନିଜ ମତ ରଖି କହିଛନ୍ତି ଯେ, ଏହି ଚ୍ୟାଲେଞ୍ଜରେ ଭାଗ ନେବା ପାଇଁ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ; ଶିଶୁ ଏବଂ ସେମାନଙ୍କ ଅଭିଭାବକଙ୍କ ସୁବିଧା ସଂପର୍କିତ ୫ଟି ପ୍ରକଳ୍ପ ସଂପର୍କିତ ପ୍ରସ୍ତାବ ଦିଆଯାଇଥିଲା। ଏସବୁ ପ୍ରସ୍ତାବ ଗୁଡିକ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା ପରେ ହିଁ ପ୍ରଦାନ କରାଯାଇଥିଲା।





