ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦକୁ ନିଲମ୍ବନ କରିଛନ୍ତି ରାଜ୍ୟ ସମବାୟ ବିଭାଗ ନିବନ୍ଧକ । ଏହା ସହିତ ନୟାଗଡ଼ ଜିଲ୍ଲାପାଳଙ୍କୁ ଆଡମିଷ୍ଟେଟର ଭାବେ ନିଯୁକ୍ତ କରିଛନ୍ତି । ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ସଭାପତି ଓ ପରିଚାଳନା ପରିଷଦ ସହ ସମ୍ପାଦକଙ୍କ ଦୀର୍ଘଦିନ ଧରି ବିବାଦ ଚାଲିଥିଲା । ଯାହାକୁ ନେଇ ପରିଚାଳନା ପରିଷଦ ସମ୍ପାଦକଙ୍କୁ ନିଲମ୍ବିତ କରିଥିଲେ । ଏପରିକି ବିବାଦ କ୍ରମେ ଥାନାରେ ପହଞ୍ଚିଥିଲା । ଏବେ ରାଜ୍ୟ ସମବାୟ ନିବନ୍ଧକ ପରିଚାଳନା ପରିଷଦକୁ ନିଲମ୍ବନ କରିବା ପରେ ଘଟଣା ଭିନ୍ନ ଋପ ନେବାକୁ ଯାଉଛି । ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଇନକମ୍ ଟ୍ୟାକ୍ସ ଫାଙ୍କିବା ପାଇଁ ଗୋଟିଏ ଚାଟାର୍ଡ଼ ସଂସ୍ଥାକୁ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରଯାଇଥିବା ଘଟଣାକୁ ସମବାୟ ବିଭାଗ ଗୁରୁତର ସହ ନେଇଛି । ଆର୍ଥିକ ଅନିୟମିତତା ମାମଲାକୁ ଦୃଢ଼ତାର ସହ ଗ୍ରହଣ କରାଯାଇଥିବା ବେଳେ ପରିଚାଳନା ପରିଷଦ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି ।





