୧ମ କ୍ବାଟର ଫାଇନାଲରେ କଇଥଗାଡ଼ିଆ ବିଜୟୀ
ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ଇନଡୋର ଷ୍ଟାଡିୟମ ଖେଳପଡ଼ିଆରେ ଶ୍ରୀରାମ ସ୍ପୋଟର୍ସ କ୍ଳବ ଆନୁକୂଲ୍ୟରେ ୧ମ ବାପୁନି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଘାଟିତ ହୋଇଯାଇଛି।ଓଡ଼ଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଫିତା କାଟି ଆନୁଷ୍ଠାନିକ ଭାବରେ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ।ଉଦଘାଟନୀ ଦିବସର ୧ମ ଲିଗ ମ୍ୟାଚ କଇଥଗାଡ଼ିଆ ଓ ରଙ୍ଗଣୀପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।୭ ଓଭର ବିଶିଷ୍ଟ ମ୍ୟାଚରେ କଇଥଗାଡ଼ିଆ ଟିମ ଟସ୍ ଜିତି ୭୦ ରନ ସଂଗ୍ରହ କରିଥିଲେ।ଏହାର ପ୍ରତିଜବାବରେ ରଙ୍ଗଣୀପାଟଣା ଟିମ ୫ ଉଇକେଟ ହରାଇ ମାତ୍ର ୫୦ ରନରେ ସୀମିତ ରହିଥିଲା।

୧୭ ବଲ ବିନିମୟରେ ୩୨ ରନ ଓ ୨ ଗୋଟି ଉଇକେଟ ସଂଗ୍ରହ କରି କଇଥଗାଡ଼ିଆ ଟିମର ଲିପକ ମହାନ୍ତି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।ଠିକ ସେହିପରି ଦ୍ଵିତୀୟ ଲିଗରେ ଖଣ୍ଡପଡା ଦଳ ଶରଣକୁଳ ଦଳକୁ ଭେଟିଥିଲା।ଟସ୍ ଜିତି ଖଣ୍ଡପଡା ଦଳ ବ୍ୟାଟିଂ କରିବା ସହ ୮ ଓଭର ବିଶିଷ୍ଟ ମ୍ୟାଚରେ ୧୧୫ ରନ ସଂଗ୍ରହ କରିଥିଲା।୧୧୬ ରନର ବିଜୟୀ ଲକ୍ଷ୍ୟକୁ ପିଛା କରି ଶରଣକୁଳ ଦଳ ୮ ଓଭରରେ ମାତ୍ର ୮୦ ରନ କରି ପାରିଥିଲେ।୩୧ ବଲରେ ୮୪ ରନର ବିସ୍ପୋରକ ପାରି ଖେଳି ଖଣ୍ଡପଡା ଦଳର ବୁନା ଶ୍ରେଷ୍ଠ ବ୍ୟାଟସମ୍ୟାନ ବିବେଚିତ ହୋଇଥିଲେ।ଲିଗର ପ୍ରଥମ କ୍ବାଟରଫାଇନାଲ କଇଥଗାଡ଼ିଆ ଓ ଖଣ୍ଡପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

କଇଥଗାଡ଼ିଆ ଦଳ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୮୫ ରନ୍ ସଂଗ୍ରହ କରିଥିଲା।ପ୍ରତିଜବାବରେ ଖଣ୍ଡପଡା ଦଳ ସମସ୍ତ ଉଇକେଟ ହରାଇ ୬୭ ରନରେ ସୀମିତ ରହିଥିଲା।୧୫ ବଲରେ ୩୮ ରନ ସଂଗ୍ରହ ସହ ୨ ଉଇକେଟ ହାସଲ କରି ଲିପକ ମହାନ୍ତି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।ବସନ୍ତ କୁମାର ସାହୁ ଖେଳ ପରିଚାଳନା କରିଥିବାବେଳେ ରୋହନ ମହାରଣା, ରାମନାଥ ସାହୁ,ତନ୍ମୟ ସାହୁ,ପ୍ରବୀର ନାୟକ,ଆଶିଷ କୁମାର ନାୟକ,ମାତୃପ୍ରସାଦ ଦାସ ସହଯୋଗ କରିଥିଲେ।







