ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୋଳଗୋଳା ଗ୍ରାମରେ ଫଳିଲା ଷ୍ଟ୍ରବେରୀ । ଯାହା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସଫଳ ଚାଷୀ ତାରେଶ୍ୱର ପାଣୀ । ଦୁଇ ଭାଇ ମିଶି ଆରମ୍ଭ କରିଛନ୍ତି ଷ୍ଟ୍ରବେରୀ ଚାଷ । ତାରେଶ୍ୱର ଫୁଲବାଣୀ ଜିଲ୍ଲାରେ ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ଭାବେ ଅବସର ନେବା ପରେ ଷ୍ଟ୍ରବେରୀ ଚାଷରେ ମନୋ ନିବେଶ କରିଥିଲେ ଏବଂ ସଫଳ ମଧ୍ୟ ହୋଇଛନ୍ତି । ସେ କହିବା ମୁତାବକ ବିଗତ ସରକାର ତିନି ବର୍ଷ ତଳେ ରାଜ୍ୟର କନ୍ଧମାଳ, କୋରାପୁଟ ଓ ରାୟଗଡା ଜିଲ୍ଲାରେ ପରୀକ୍ଷା ମୁଳକ ଭାବେ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଯାଇଥିଲା ଏବଂ ସେହି ତିନି ଗୋଟି ଜିଲ୍ଲାରେ ସଫଳତା ମିଳିଥିଲା ।

ନୟାଗଡ଼ ଜିଲ୍ଲାକୁ ଏ ବର୍ଷ ଏକ ହେକ୍ଟରର ପରୀକ୍ଷା ମୁଳକ ଭାବେ ଚାଷ କରିବା ପାଇଁ ଉଦ୍ୟାନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିଜ ଗାଁ ମାଟିରେ ୨୫ ଡିସିମିଲ ଜାଗାରେ ପ୍ରାରମ୍ଭିକ ଭାବେ ଆରମ୍ଭ କରିଥିଲେ । ସେ ଫୁଲବାଣୀରେ ଚାକିରୀ କରିଥିବା ସମୟରେ ଷ୍ଟ୍ରବେରୀର ଚାଷ ପ୍ରଣାଳୀ ବାବଦରେ କିଛି ଜ୍ଞାନ ଆହରଣ କରିଥିଲେ । ଏବେ ଗ୍ରାମରେ ଦୁଇ ଭାଇ ମିଶି ୨୫ ଡିସିମିଲ ଜାଗାରେ ଷ୍ଟ୍ରବେରୀ ଚାଷ ଏବର୍ଷ ଆରମ୍ଭ କରିଛନ୍ତି । ଏକ ଲକ୍ଷ ଟଙ୍କା ବ୍ୟୟରେ ଖର୍ଚ୍ଚ କରିବାକୁ ପଡିଛି ବୋଲି ସେ କହିଛନ୍ତି ।

ବାଲିଆ ମାଟି ଓ ଥଣ୍ଡା ସ୍ଥାନରେ ଏହି ଚାଷ ଭଲ ହୁଏ । କିନ୍ତୁ ସେ ଚିକିଟା ମାଟିରେ ଚାଷ କରି ସଫଳ ପାଇଛନ୍ତି । ଭୁବନେଶ୍ୱର ଅପେକ୍ଷା ଆମେ ମାନେ କମ ମୁଲ୍ୟରେ ବିକ୍ରିବଟା କରୁଥିବା କଥା ପ୍ରକାଶ କରିଛନ୍ତି । ଉଦ୍ୟାନ ବିଭାଗର ସହଯୋଗ ସେମାନଙ୍କୁ ପ୍ରେରଣା ଦେଇଛି । ଏହି ଷ୍ଟ୍ରବେରୀରେ ପ୍ରୋଟିନ, କ୍ୟାଲସିୟମ, ଆଇରନ, ପୋଟାସିୟମ ରହିଛି ।

ମୁଖ୍ୟତଃ ଡାଇବେଟିସ ରୋଗୀଙ୍କ ପାଇଁ ଏହି ଫଳଟି ଅତି ଫଳପ୍ରଦ । ବର୍ତମାନ ବିକ୍ରିବଟା ନିମନ୍ତେ ବିଭିନ୍ନ ଫଳ ଦୋକାନ, କିଛି ସରକାରୀ ଚାକିରିଆ ଓ ବଲାଙ୍ଗି ପାର୍କ ନିକଟରେ ବିକ୍ରିବଟା କରୁଛନ୍ତି । ଦୈନିକ ୮ କିଲୋରୁ ୧୦ କିଲୋ ପର୍ଯ୍ୟନ୍ତ ଷ୍ଟ୍ରବେରୀ ବାହାରୁଛି । ନୟାଗଡ଼ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ ସଫଳ ମିଳିଥିବାରୁ କୃଷକ ମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି । ଆଗାମୀ ଦିନରେ ଏହି ଚାଷ କରି ଚାଷୀ ମାନେ ଅଧୀକ ଲାଭ ବାନ ହୋଇପାରିବେ ।







