ଓଡ଼ଗାଁ, (ବାଘୁଆବାର୍ତ୍ତା): ଜାନୁଆରୀ ମାସ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଓ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା,ରେଡକ୍ରସ,ରେଡରିବନ କ୍ଳବ ଓ ସ୍କାଉଟ ଆଣ୍ଡ ଗାଇଡ଼ ୟୁନିଟର ମିଳିତ ଆନୁକୂଲ୍ୟରେ ବୁଧବାର ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ପରିସରରୁ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିବାବେଳେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା ଓ ମୋଟର ଯାନବାହନ ନିରୀକ୍ଷକ ହେମନ୍ତ କୁମାର ପାଢୀ ଉପସ୍ଥିତ ଥିଲେ।

ପରେ ଛାତ୍ରଛାତ୍ରୀମାନେ ହାତରେ ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ଲାକାର୍ଡ ଧରି ଓଡ଼ଗାଁ ସହର ପରିକ୍ରମା କରିବା ସହ ସଡକ ସୁରକ୍ଷା ନିୟମାବଳୀ ସମ୍ପର୍କିତ ଲିଫଲେଫ୍ଟ ଜନସାଧାରଣଙ୍କୁ ବଣ୍ଟନ କରିଥିଲେ।ବିଶେଷ କରି ଅମାନିଆ ଗାଡି ଚାଳକମାନଙ୍କୁ ଅଟକାଇ ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବା,ଚାରି ଚକିଆ ଯାନରେ ସିଟ ବେଲ୍ଟର ବ୍ୟବହାର,ନିଶା ଶକ୍ତ ଅବସ୍ଥାରେ ଗାଡି ଚାଳନା ନ କରିବା,ଟ୍ରାଫିକ ନିୟମ ମାନି ଗାଡି ଚଳାଇବା ସମ୍ପର୍କରେ ସଚେତନ କରିଥିଲେ।ଶୋଭାଯାତ୍ରାରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ପରିବହନ କର୍ମଚାରୀ,ଓଡ଼ଗାଁ ଆଦର୍ଶ ଥାନା କର୍ମଚାରୀ,କଲେଜ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।






