ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରୁ ଆଜି ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀକୁ ପଠାଯାଇଛି । ନିତୀ ଅନୁଯାୟୀ ରଥକାଠ ବୋଝେଇ ଟ୍ରକ ଗୁଡ଼ିକୁ ପ୍ରଥମେ ଦଶପଲ୍ଲାର ମହାବୀର ମନ୍ଦିର ଏବଂ ପରବର୍ତ୍ତୀ ସମୟରେ ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରାଯିବା ପରେ ପୁରୀ ଶ୍ରୀମନ୍ଦିର ରଥଖଳାକୁ ପଠାଯାଇଛି । ଆଜି ପ୍ରଥମ ପ୍ରର୍ଯ୍ୟାୟରେ ୩ଟି ଟ୍ରକ ଯୋଗେ ୧୦୧ ଖଣ୍ଡ ଅଶନ,ଧଉରା କାଠ ପଠାଯାଇଛି ।

ସେଥିମଧ୍ୟରୁ ୪୮ଖଣ୍ଡ ଅସନ ଏବଂ ୫୩ଖଣ୍ଡ ଧଉରା ପ୍ରଥମ ପର୍ଯ୍ୟାୟରେ ପୁରୀ ରଥଖଳାକୁ ପଠାଯାଇଛି । ସୂଚନା ଯୋଗ୍ୟ ଯେ,ଚଳିତ ବର୍ଷ ହେବାକୁ ଥିବା ରଥଯାତ୍ରା ନିମନ୍ତେ ସମୁଦାୟ ୮୬୫ଖଣ୍ଡ ଅସନ,ଧଉରା,ସିମିଳି ଏବଂ ଫାଶିକାଠ ଆବଶ୍ୟକତା ଥିଲା ବେଳେ ଗତବର୍ଷ ୫୧ଖଣ୍ଡ କାଠ ବଳକା ରହିଛି । ଅବଶିଷ୍ଟ ୮୧୪ଖଣ୍ଡ କାଠ ନୟାଗଡ଼ ଜଙ୍ଗଲ ଡ଼ିଭିଜନ ପକ୍ଷରୁ ବ୍ୟବସ୍ଥା କରାଯାଇଛି I ସେଥିମଧ୍ୟରୁ ୩୯୬ଖଣ୍ଡ କାଠ କଟକ ଖପୁରିଆରେ ଥିବା କରତ କଳକୁ ପଠାଯିବ । ବାକି ୪୧୮ଖଣ୍ଡ କାଠ ପୁରୀର ଶ୍ରୀରଥଖଳାକୁ ପଠାଯିବ । ଶ୍ରୀପଞ୍ଚମୀ ପୂର୍ବରୁ ସମସ୍ତ କାଠ ଶ୍ରୀରଥଖଳାରେ ପହଞ୍ଚିବା ସହିତ ଅକ୍ଷୟତୃତୀୟାରେ ରଥକାଠ ଅନୁକୂଳ ହେବ ।





