ଚାରି ପ୍ରତିଭା ହେଲେ ସମ୍ବର୍ଦ୍ଧିତ
ଦଶପଲ୍ଲା, (ବାଘୁଆବାର୍ତ୍ତା): ୭୬ତମ ପବିତ୍ର ସାଧାରଣ ତନ୍ତ୍ର ଦିବସ ଦଶପଲ୍ଲାର ଗାଁ ଠୁ ସହର ସବୁଠି ବିପୁଳ ଉତ୍ସାହ, ଉଦ୍ଦିପନା ସହ ମହାସମାରୋହରେ ପାଳିତ ହୋଇଯାଇଛି। ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ ସହ ବହୁବିଧ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ଏନଏସିର ମୁଖ୍ଯ ଉତ୍ସବ ଗାନ୍ଧୀ ମଇଦାନଠାରେ ଅନୁଷ୍ଠିତ ହୋଇଥିଲା। ବିଧାୟକ ରମେଶଚନ୍ଦ୍ର ବେହେରା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସାସଂଦ ପ୍ରତିନିଧି ଅଂଜନ କୁମାର ଦାଶ, କାଉନସିଲରଂକ ସମେତ ବହୁ ମାନ୍ଯଗଣ୍ଯ ଅତିଥି ଉପସ୍ଥିତ ଥିଲେ। ଇତ୍ଯବସରରେ ଶିକ୍ଷା କ୍ଷେତ୍ର ପାଇଁ କୃପାସିନ୍ଧୁ ଷଡଙ୍ଗୀ (କୃଷ୍ଣଚନ୍ଦ୍ରପୁରପାଟଣା), କୃଷି କ୍ଷେତ୍ର ପାଇଁ ନୀଳକଣ୍ଠ ଭୋଇ (ଓଡଶର) , ସମାଜସେବା ପାଇଁ ମଧୁସୂଦନ ରଣା (ଦେଉଳମାଳିସାହି) ଓ କଳା- ସଂସ୍କୃତି ପାଇଁ ମହେଶ୍ୱର ରଥ (ଗଣିଆଁ ରୋର୍ଡ-ଦଶପଲ୍ଲା) ଙ୍କୁ ଦକ୍ଷତା ଓ ପାରଦର୍ଶିତା ନିମନ୍ତେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ପାଇଁ ବହୁ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।





