ଭୁବନେଶ୍ବର, (ବାଘୁଆବାର୍ତ୍ତା): ଏମିତି କୌଣସି ଗୋଟିଏ ଦିନ ବିତୁନାହିଁ; ଯେଉଁଦିନ ରାଜଧାନୀବାସୀ ଅପରାଧର ଶିକାର ହେଉନାହାନ୍ତି। ସହରର ଗଳିକନ୍ଦି ଠାରୁ ମୁଖ୍ୟରାସ୍ତା ଯାଏଁ, କେଉଁଠାରେ ମଧ୍ୟ ରାଜଧାନୀବାସୀ ନିଜକୁ ସୁରକ୍ଷିତ ମଣୁନାହାନ୍ତ। ରାଜଧାନୀର ବସ୍ତିଠୁ ନେଇ ଭିଆଇପି ଏରିଆ ଯାଏଁ ଘରେ ପଶି ଦୁବୃର୍ତ୍ତ ଚୋରି କରୁଛନ୍ତି। ପଦାକୁ ଗୋଡ଼ କାଢ଼ିଲେ ଲୁଟିଆ ଘରେ କଳାକନା ବୁଲାଉଛନ୍ତି। ପୁଲିସକୁ ଚାଲେଞ୍ଜ କରି ଦିନବେଳାକୁ ମଧ୍ୟ ଅସୁରକ୍ଷିତ କରିପକାଇଲେଣି। ରାଜ୍ୟ ପୁଲିସର ସବୁଠାରୁ ଦକ୍ଷ କୁହାଯାଉଥିବା କମିସନରେଟ ପୁଲିସ ଏବେ ଆହ୍ୱାନର ସମ୍ମୁଖୀନ ହୋଇଛି। ଆଉ ଏହାରି ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ବରର ଭିଆଇପି ଏରିଆ ଭାବେ ପରିଚିତ ନୟାପଲ୍ଲୀର ଆଇଆରସି ଭିଲେଜରୁ ଚୋରି ହୋଇଛି। ତାହା ପୁଣି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ। ଗତକାଲି ବିଳମ୍ବିତ ରାତିରେ ନୟାପଲ୍ଲୀ ଭିଆଇପି ଏରିଆ ସ୍ଥିତ ତାଙ୍କ ଘରେ ପଶି ଡକାୟତ ନଗଦ ଟଙ୍କା ଏବଂ ଅଳଙ୍କାର ଲୁଟି ନେଇଛନ୍ତି। ନୟାପଲ୍ଲୀର ଆଇଆରସି ଭିଲେଜ ସ୍ଥିତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଲୁଟେରା ରାତି ୨ଟା ୩୦ରେ ଘରେ ପଶିଥିବା ବେଳେ ରାତି ୩ଟା ୪୦ରେ ଝରକା ବାଟେ ପଳାଇଥିଲେ। ଲୁଟ୍ର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘରେ ଡକାୟତମାନେ ପ୍ରାୟ ଏକ ଘଣ୍ଟା ବେଧଡ଼କ ଲୁଟ୍ କରିଥିବାର ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳୁଛି। ତେବେ ଭିଆଇପି ଏରିଆରେ ଏଭଳି ଲୁଟ୍ ପରେ ସୁରକ୍ଷା ବ୍ୟବସ୍ଥାକୁନ୍ଇେ ନେଇ ପ୍ରଶ୍ନ ଉଠିଛି। ପୁଲିସ କଡା ପାଟ୍ରୋଲିଂ କଥା କହୁଥିବା ବେଳେ ଭିଆଇପି ଏରିଆରେ ଲୁଟେରା ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ କିପରି ପଶିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଠି ହୋଇଛି।





