ନୟାଗଡ଼, (ବାଘୁଆବାର୍ତ୍ତା): ବ୍ଲକ କାର୍ଯ୍ୟାଳୟ ଭିତରେ କାହିଁକି ପାନ ଖାଇଛ । କିଏ ତୁମକୁ ଅନୁମତି ଦେଇଛି । ଆମେ ତୁମ ନାଁରେ ନ୍ୟୁଜ୍ କରିବୁ । ଆମକୁ ୫ ହଜାର ଦେଲେ ନ୍ୟୁଜ୍ କରିବୁ ନାହିଁ । ଏଭଳି କହି ନୂଆଗାଁ ବ୍ଲକ ଡେଭଲମେଣ୍ଟ ସେସ୍କନ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଡ କାହ୍ନୁଚରଣ ଜେନାଙ୍କୁ ୪ ଜଣ ଅସଲି ଓ ନକଲି ସାମ୍ବାଦିକ ଧମକ ଦେଇଥିଲେ । ଶନିବାର ପୂର୍ବାହ୍ନରେ ବ୍ଲକ କାର୍ଯ୍ୟାଳୟରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ପରେ କାହ୍ନୁ ଚରଣ ଭୟଭୀତ ହୋଇଥିଲେ । ବହୁ କାକୁତି ମୀନତି ପରେ ଉକ୍ତ ବ୍ୟକ୍ତିମାନେ ତାଙ୍କୁ ଫୋନ୍ ପେ ମାଧ୍ୟମରେ ୨ ହଜାର ଟଙ୍କା ଦେବାକୁ ଦାବି କରିଥିଲେ । କାହ୍ନୁ ଚରଣ ତାଙ୍କୁ ୨ ହଜାର ଟଙ୍କା ଦେବା ପରେ ସେଠାରୁ ଚାଲି ଯାଇଥିଲେ । ଏହି ବ୍ୟକ୍ତିମାନେ ହେଲେ ଦଶପଲ୍ଲା ଥାନା ଅଧିନସ୍ଥ ପ୍ରମୋଦ କୁମାର ମହାନ୍ତି, ଦିନେଶ ସିଠ, ଜିତେନ୍ଦ୍ର ସ୍ୱାଇଁ ଏବଂ ନୂଆଗାଁ ଥାନା ଅଞ୍ଚଳର ଦିପୁ ରାଉତ ବୋଲି ଜଣାପଡ଼ିଛି । ସେମାନଙ୍କ ବେକରେ ନିତିଦିନ, ଏଏନ୍ଆଇ ଖବର ଓଡ଼ିଶା, ଗୁଗୁଲି ଓ ସମ୍ପର୍କ ପ୍ରେସ ପରିଚୟ ରହିଥିବା କାହ୍ନୁ ଚରଣ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ଏହି ବ୍ୟକ୍ତିମାନେ ହାତରେ ବୁମ ଓ କ୍ୟାମେରା ଧରି ଦୀର୍ଘଦିନ ଧରି ଦଶପଲ୍ଲା ଓ ନୂଆଗାଁ ଅଞ୍ଚଳରେ ସାମ୍ବାଦିକ ବୋଲି ପରିଚୟ ଦେଇ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ଆସୁଥିଲେ । ଏପରିକି ଅନେକ ସରକାରୀ କର୍ମଚାରୀଙ୍କୁ ଧମକ ଚମକ ଦେଇ ଚାନ୍ଦା ଆଦାୟ କରୁଥିଲେ । ପୁଲିସ ଘଟଣାର ଛାନଭିନ ଚଳାଇଥିବା ସୂଚନା ମିଳିଛି ।





