ଭୁବନେଶ୍ୱର,(ବାଘୁଆବାର୍ତ୍ତା): କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି। ଏହାର ସର୍ବାଧିକ ସୀମାକୁ ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଡୋନିଅର) ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ। ସେ କହିଛନ୍ତି, ଏହି ପଦକ୍ଷେପ ଫଳରେ ପରଲୋକଗତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ଜୀବନ ଧାରଣ ସହଜ ହେବା ସହିତ ସେମାନଙ୍କୁ ଯଥେଷ୍ଟ ଆର୍ଥିକ ସୁରକ୍ଷା ମିଳିପାରିବ। ମନ୍ତ୍ରୀ ଆହୁରି କହିଥିଲେ ଯେ, ମାତାପିତାଙ୍କ ମୃତ୍ୟୁ ପରେ ଯଦି ସେମାନଙ୍କର ସନ୍ତାନ ଫ୍ୟାମିଲି ପେନସନର ଦୁଇଟି କିସ୍ତି ଉଠାଇବା ଲାଗି ଅଧିକୃତ ହୋଇଥାନ୍ତି, ସେହି ଅର୍ଥରାଶିର ପରିମାଣ ସମ୍ପର୍କରେ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଡ. ସିଂହ କହିଛନ୍ତି ଯେ, ଏବେ ଏହି ଦୁଇଟି କିସ୍ତିର ମୋଟ ଅର୍ଥରାଶି ୧,୨୫,୦୦୦ ଟଙ୍କାରୁ ଅଧିକ ହେବ ନାହିଁ। ଏହା ପୂର୍ବ ସର୍ବାଧିକ ସୀମା ଠାରୁ ଅଢ଼େଇ ଗୁଣା ଅଧିକ ବୃଦ୍ଧି।





