ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ନିକଟସ୍ଥ ପ୍ରତାପ ପ୍ରସାଦ ସ୍ଥିତ ମା’ ଭୈରବୀଙ୍କ ପୀଠରେ ଜିଲ୍ଲା ସଭାପତି ରାମକୃଷ୍ଣ ପାଢ଼ୀଙ୍କ ଆହ୍ୱାନ କ୍ରମେ ଗାଁ ସାଥି ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ୮ଟି ବ୍ଲକର ୫୦୦ ରୁ ଉର୍ଦ୍ଧ୍ୱ ଗାଁ ସାଥି ଉପସ୍ଥିତ ହୋଇଥିଲେ । ଏହି ବୈଠକରେ ଗାଁ ସାଥିଙ୍କର ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ୨୦୦୮ ମସିହାରୁ ସର୍ବୋଚ୍ଚ ଶିକ୍ଷାଗତ ଯୋଗ୍ୟତା ଓ ମାର୍କ ଆଧାରରେ ନିଯୁକ୍ତି ହୋଇଥିବା ଗାଁ ସାଥିଙ୍କୁ କିଛି ଦରମା ଓ ପାରିଶ୍ରମିକ ମିଳୁନଥିବା ବେଳେ ମାସିକ ୧୦,୦୦୦ ଟଙ୍କା ପାରିଶ୍ରମିକ ଦାବି କରାଯାଉଛି । ୧୭ ବର୍ଷରୁ ଉର୍ଦ୍ଧ୍ୱ ସରକାରୀ ଚାକିରୀ ଆଶାରେ ଥିବା ବେଳେ ହିନ ଉଦ୍ଦେଶ୍ୟ ରଖି ଅନୈତିକ ଭାବେ କିଛି ଗ୍ରାମ ପଞ୍ଚାୟତରେ ନୂତନ ମେଟଙ୍କ ହ୍ୱାସା ଏନଏମଏମଏସ କରାଯାଉଥିବାକୁ ଦୃଢ଼ ବିରୋଧ କରାଯାଇଥିଲା । ପୂର୍ବରୁ ଗାଁ ସାଥିଙ୍କୁ ଏନଏମଏମଏସରେ ଯେଉଁ ପ୍ରାପ୍ୟ ମିଳୁଥିଲା ତାହା ବର୍ତ୍ତମାନ ପ୍ରାୟ ୨ ବର୍ଷ ହେବ ପ୍ରଶାସନିକ ଅବହେଳାରୁ ମିଳୁନାହିଁ । ଏଣୁ ଏହି ସମସ୍ୟା ଗୁଡିକ ସରକାର ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ଏକ ଦୃଢ଼ ବିକ୍ଷୋଭ ଓ ବିରୋଧ କରାଯିବା ପାଇଁ ନିଷ୍ପତି ନିଆଯାଇଛି





