ନୟାଗଡ଼,(ବାଘୁଆବାର୍ତ୍ତା) : ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ନୟାଗଡ଼ର ଚାଷୀ ଦାଶରଥି । କାଳିଆ ଯୋଜନାର ତୃତୀୟ କିସ୍ତି ଆଜି ରାଜ୍ୟର ହଜାର ହଜାର ଚାଷୀଙ୍କୁ ମିଳିଛି । ଏହି ଟଙ୍କା ପ୍ରଦାନ କରିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର କିଛି ଚାଷୀଙ୍କ ସହ କଥା ହୋଇ ମତାମତ ନେଇଛନ୍ତି । ଏହି ଚାଷୀମାନଙ୍କ ମଧ୍ୟରେ ନୟାଗଡ଼ ସଦରବ୍ଲକ ବିରୁଡ଼ା ପଞ୍ଚାୟତ ପାଣ୍ଡେରିପାଟଣା ଗ୍ରାମର ଦାଶରଥି ସାହୁଙ୍କ ମତାମତ ବେଶ ଗୁରୁତ୍ୱ ବହନ କରୁଛି । ଚାଷୀ ଦାଶରଥି କାଳିଆ ଯୋଜନାରେ ସହାୟତା ପାଇବା ପରେ କିଭଳି ତାକୁ ଚାଷ କାର୍ଯ୍ୟରେ ବିନିଯୋଗ କରିଥିଲେ ସେ ନେଇ ସେ ମୁଖ୍ୟମନ୍ତ୍ରୀକୁ ଅବଗତ କରିବା ସହ କାଳିଆ ଯୋଜନାକୁ ଚାଲୁ ରଖିବାକୁ ଅନୁରୋଧ କରିଛନ୍ତି । ଦୁଇଟି କିସ୍ତିରେ ଦାଶରଥି କାଳିଆ ସହାୟତା ପାଇଥିବା ବେଳେ ଆଜି ତୃତୀୟ କିସ୍ତି ପାଇ ଖୁସି ପ୍ରକଟ କରିଛନ୍ତି । ପ୍ରଥମ କିସ୍ତି ଟଙ୍କା ପାଇ ଦାଶରଥି ଆଳୁଚାଷ କରି ଲାଭବାନ ହୋଇଥିବା କହିଛନ୍ତି ।





