ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଚାଷୀଙ୍କ ବ୍ୟାଙ୍କ ପାସ୍ବୁକକୁ ଗଲା ଆଜି କାଳିଆ ଯୋଜନାର ତୃତୀୟ କିସ୍ତି ଟଙ୍କା । ଡିବିଟି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଆନୁଷ୍ଠାନିକ ଏହାକୁ କାର୍ଯ୍ୟକାରୀ କରିଛନ୍ତି । କାଳିଆ ଯୋଜନାର ତୃତୀୟ କିସ୍ତି ଶୁଭରମ୍ଭ ହେବା ପରେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ଜରିଆରେ ୫୩ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୧୨୭୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କାଳିଆ ଯୋଜନା ମାଧ୍ୟମରେ କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି । ଏହାପୂର୍ବରୁ କାଳିଆ ଯୋଜନା ଜରିଆରେ ଦୁଇଟି କିସ୍ତି କାଳିଆ ସହାୟତା ପ୍ରଦାନ କରାଯାଇଥିବା ବେଳେ ପ୍ରଥମ କିସ୍ତିରେ ୫୧ ଲକ୍ଷ ଚାଷିଙ୍କୁ ୫ ହଜାର ଲେଖାଏଁ ଦିଆଯାଇଥିଲା । ଦ୍ୱିତୀୟ କିସ୍ତିରେ ୩୨ ଲକ୍ଷରୁ ଉର୍ଦ୍ଧ କ୍ଷୁଦ୍ରଚାଷୀ ଓ ନାମମାତ୍ର ଚାଷି ଓ ୧୬ ଲକ୍ଷରୁ ଉର୍ଦ୍ଧ ଭୂମିହୀନ ଚାଷିଙ୍କୁ ୫ହଜାର ଲେଖାଏଁ ପଠାଯାଇଥିବା ସୂଚନା ମିଳିଛି । ତେବେ ଆଜି ତୃତୀୟ କିସ୍ତି ମିଳିବା ପରେ ଚାଷୀଙ୍କ ମନରେ ଉତ୍ସାହିତ ଥିବା ଜଣାପଡିଛି ।





