ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଅଭିଲେଖ ସପ୍ତାହ ପାଳନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଅବସରରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର ଦ୍ୱାରା ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ସଂଗୃହିତ ବ୍ୟକ୍ତିଗତ ନଥି ଗୁଡିକର ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଅଛି । ଏହି ପ୍ରଦର୍ଶନୀଟି ତା୧୭ ଫେବୃୟାରୀ ୨୦୨୧ରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟ ଦିବସମାନଙ୍କରେ ଜନସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ରହିବ । ଏହି ସପ୍ତାହ ପାଳନ ଅବସରରେ ଏକ ଆଲୋଚନା ଚକ୍ର “ଅଭିଲେଖାଗାର ଓ ବ୍ୟକ୍ତି ଗତ ନଥି ହାସଲ କରିବାର ଗୁରୁତ୍ୱ” ଆୟୋଜିତ ହୋଇଅଛି । ଏହି ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଐତିହାସିକ ଏବଂ ଗବେଷକ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ । ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତବିଷ୍ଣୁପଦ ସେଠୀ ଏବଂ ସମ୍ମାନନୀୟ ଅତିଥି ଭାବରେ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଯୋଗଦାନ କରିଥିଲେ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡଃ ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଭିଲେଖାଗାରର ବୈଷୟିକ ସହାୟକ ଉପେନ୍ଦ୍ର କୁମାର ବେହେରା । ଏହି ଅବସରରେ ମୁଖ୍ୟବକ୍ତା ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ଆଧୁନିକ ଇତିହାସର ମୂଳଉତ୍ସ ବିଷୟରେ ସୂଚନା ଦେବା ସହ ବ୍ୟକ୍ତିଗତ ନଥି ହାସଲ କିଭଳି କରାଯିବା ଉଚିତ୍ ଏବଂ ଏସବୁର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଘରୋଇ କମ୍ପାନୀ ଗୁଡିକର ନଥି, କେନ୍ଦ୍ର ସରକାରଙ୍କ ନଥି, ରାଜ୍ୟ ସରକାରଙ୍କ ନଥି, ମୁନିସ୍ପାଲିଟି ନଥି, ଜିଲ୍ଲାବୋର୍ଡ ନଥି, ବ୍ୟାଙ୍କିଙ୍ଗ୍ ନଥି, କୋ-ଅପରେଟିଭ ସୋସାଇଟ ନଥି, ସର୍ଭେ ରିପୋର୍ଟ, ଦୁର୍ଭିକ୍ଷ ରିପୋର୍ଟ, ରାଜା, ଜମିଦାର, ମନ୍ଦିର ଏବଂ ବ୍ୟକ୍ତିଗତ ଉତ୍ସଗୁଡ଼ିକରୁ ପର୍ଯ୍ୟାୟ କ୍ରମେ ସଂଗ୍ରହ କରାଯିବା ଉଚିତ୍ । ପ୍ରସଙ୍ଗକ୍ରମେ ନେହେରୁଙ୍କ ଓଡ଼ିଶା ପରିଭ୍ରମଣ ଏବଂ ସୁବାସ ଚନ୍ଦ୍ର ବୋଷଙ୍କ ଓଡ଼ିଶା ସହିତ ସମ୍ପର୍କ ଆଧାରିତ ନଥିଗୁଡିକର ପର୍ଯ୍ୟାପ୍ତ ରୂପେ ସଂଗ୍ରହ କରାଯାଇ ପାରିଛି କି ? ବୋଲି ସେ ପ୍ରଶ୍ନ କରିଥିଲେ । ସମ୍ପାନର ମୁଖ୍ୟ ଅତିଥି- ବିଭାଗୀୟ ପ୍ରମୁଖ ଶାସନ ସଚିବ, ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ମହୋଦୟ ଉଦ୍ବୋଧନରେ କହିଥିଲେ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ ଜମିଦାର, ରାଜା ଏବଂ ମରାଠା କାଳର ଡକ୍ୟୁମେଣ୍ଟ ଗୁଡ଼ିକୁ କିଭଳି ହାସଲ କରି ହେବ ସେ ଦିଗରେ ସମସ୍ତ ପ୍ରୟାସ କରାଯିବ । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଉଲ୍ଲେଖ କରିଥିଲେ ଯେ ମଧୁସୁଦନ ଦାସ, ଗୋପବନ୍ଧୁ ଦାସ ଏବଂ ସୁବାଷ ଚନ୍ଦ୍ର ବୋଷଙ୍କ ଭଳି ମହାନାୟକ ବ୍ୟକ୍ତିସତ୍ତାରୁ ଉଦ୍ଧ୍ୱର୍ରେ ରହି ଲୋକମାନଙ୍କୁ ଅନୁପ୍ରାଣିତ କରିଛନ୍ତି । ଏହିପରି ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିଗତ ନଥି ହାସଲ ଆମ ପାଇଁ ଏବଂ ଇତିହାସ ଗଠନ ପାଇଁ ଗୁରୁତ୍ୱ ବହନ କରେ ବୋଲି ସେ କହିଥିଲେ ଏବଂ ଅଭିଲେଖ ସପ୍ତାହ ପାଳନର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ ।





