ନୟାଗଡ଼, (ବାଘୁଆବାର୍ତ୍ତା): କଣ୍ଟିଲୋ ନୀଳମାଧବଙ୍କ କ୍ଷେତ୍ରରେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ ସେଥିମଧ୍ୟରୁ ଧନୁସଂକ୍ରାନ୍ତି ଏବଂ ମକର ସଂକ୍ରାନ୍ତି ପର୍ବ ଅନ୍ୟତମ । କଣ୍ଟିଲୋ ପ୍ରସିଦ୍ଧ ଧନୁମୁଁଆ ପ୍ରାୟ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ପ୍ରଭୂ ଶ୍ରୀ ନୀଳମାଧବଙ୍କୁ ଧନୁ ସଂକ୍ରାନ୍ତି ରେ ଏହି ମୁଁଆ ମଧୁବଶ୍ୟ ସମାଜର ଗୁଡ଼ିଆ ଭାଇ ମାନଙ୍କର କୁଳ ବେଉଷା ଅଟେ । ଶୁଦ୍ଧପୂତ ରୂପେ ଧାନ ବମ୍ଫାଇ , ଲିଆଭାଜି ,ସେହି ଲିଆକୁ ବଚ୍ଛାବଚ୍ଛି ଟଙ୍ଗା ସାହାଯ୍ୟରେ କରାଯାଇଥାଏ ଯେପରି ଲିଆରେ ଖଇ ରହିବ ନାହିଁ ତତ୍ପରେ ସେହି ଲିଆକୁ ଗୁଡ଼ପାଗ କରି ମୁଁଆ ତିଆରି କରାଯାଏ ।

ସେହି ଲିଆପାଗ ସମୟରେ ନଡ଼ିଆ ପାତି , ଜୁଆଣି, ଗୋଲମରିଚ, ବାଦାମ ମଞ୍ଜି ବିଭିନ୍ନ ପ୍ରକାରର ମସଲା ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ ଏବଂ ସର୍ବଶେଷରେ ଚିନି ଶିରା ପାଗ କରି ଢଳାଜାଇଥାଏ ଯଦ୍ବାରା ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ପର୍ଯ୍ୟଟକ ଏହି ମୁଁଆ କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ ସାରି କଣ୍ଟିଲୋ ବଜାରରୁ କିଣି ନେଇଥାନ୍ତି । ଛୋଟ ଛୋଟ ମୁଁଆ ୧୯୭୭ ମସିହାରେ କଣ୍ଟିଲୋ ସାହି ସାହିରେ ଝୁମୁକା ବଜାଇ ଗୁଡ଼ିଆ ମାନେ ୧୦ ପଇସାରେ ବିକ୍ରି ହେଉଥିବା ଇତିହାସ ସୃଷ୍ଟି କରିଛି ।

ଆଧୁନିକ ଯୁଗରେ କେହି ଏହି ଗୁଡ଼ିଆ କୁଳ ବେଉସାକୁ ପୂଜା ପାର୍ବଣ ସମୟରେ ଗାଁ ଦାଣ୍ଡରେ ଆଉ ଝୁମୁକା ଶବ୍ଦ ଶୁଣିବାକୁ ମିଳୁନି । ଗଞ୍ଜାମ ଅଞ୍ଚଳର ପ୍ରସିଦ୍ଧ ଚିନି ମୁଁଆ ଆଜିକାଲି ପ୍ରତ୍ୟେକ ବଜାର ଘାଟରେ ଉପଲବ୍ଧ ହେଉଥିଲେ ମଧ୍ୟ ଧନୁମୁଁଆ କଣ୍ଟିଲୋ ବ୍ୟତୀତ ଅନ୍ୟ ଅଞ୍ଚଳରେ ବିରଳ । ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମୁଁଆର ଆସର ଜମୁଥିଲେ ମଧ୍ୟ କଣ୍ଟିଲୋରେ ମାଘମେଳା ପର୍ଯ୍ୟନ୍ତ ଏହି ମୁଁଆ ବିକ୍ରି ହୋଇଥାଏ ।





