ପାଳିତ ହେଲା ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ
ଦଶପଲ୍ଲା, (ବାଘୁଆବାର୍ତ୍ତା): ମହକ ପରିବାର ଓ ସୀତାରାମ ୟୁଥ୍ କ୍ଳବ୍, ମହାବୀର କ୍ଷେତ୍ର, ଦଶପଲ୍ଲା ଆନୁକୂଲ୍ୟରେ ତ୍ରିନାଥ ବଜାର ସନ୍ନିକଟ ମହକ ପଡିଆ ଠାରେ ଶନିବାର ଦିନ ଉଦଘାଟିତ ହୋଇଥିବା “ଦଶପଲ୍ଲା ଯୁବ ମହୋତ୍ସବ ମହକ-୨୦୨୫” ର ରବିବାର ଥିଲା ଦ୍ଵିତୀୟ ଦିବସ | ଦିବସବ୍ୟାପୀ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ସନ୍ଧ୍ୟାରେ ଆୟୋଜିତ ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ ତଥା ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳନ ଅବସରରେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ୱାମୀ ବିବେକାନନ୍ଦ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଯୁବ ସମାଜକୁ ଆହ୍ଵାନ ଦେଇଥିଲେ | ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଓ ଉତ୍ସବ କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ |





