ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଶାର କୃଷକ ଆନ୍ଦୋଳନର ପ୍ରବୀଣ ନେତା ତଥା ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟିର ବରିଷ୍ଠ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ଜଗନ୍ନାଥ ମିଶ୍ରଙ୍କ ବିୟୋଗ ଘଟିଛି । ଏହି ଉପଲକ୍ଷେ ନୟାଗଡ଼ରେ ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ପୂର୍ବକ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଜଗନ୍ନାଥ ମିଶ୍ରଙ୍କ ବିୟୋଗରେ ଓଡିଶା ତଥା କୃଷକ ସମାଜ ତା’ର ଜଣେ ଅଦ୍ୱିତୀୟ ଜନନେତାଙ୍କୁ ହରାଇଲା ବୋଲି ଶୋକବାର୍ତ୍ତାରେ କୁହାଯାଇଛି ।

ନୟାଗଡ଼ର ଆଖୁଚାଷୀଙ୍କ ଆନ୍ଦୋଳନ, ରଣପୁରର କାଜୁ ଆନ୍ଦୋଳନ, ଭାପୁରର ଜମି ସୁରକ୍ଷା ଆନ୍ଦୋଳନ, ଦଶପଲ୍ଲାର ଆଦିବାସୀ ଆନ୍ଦୋଳନରେ କମ୍ରେଡ ଜଗନ୍ନାଥ ମିଶ୍ରଙ୍କ ଅବଦାନ ଅବିସ୍ମରଣୀୟ ବୋଲି ନେତାମାନେ ପ୍ରକାଶ କରିଥିଲେ । ପାର୍ଟିର ପୂର୍ବତନ ଲୋକାଲ କମିଟି ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ, ବର୍ତ୍ତମାନର ସଂପାଦକ କୁଳମଣି ପୃଷ୍ଟି, ଯୁବନେତା ବିଭୁତି ପଟ୍ଟନାୟକ, ସନ୍ତୋଷ ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।





