ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପାଣିପୋଇଲା ବଙ୍ଗଳା ପ୍ରାଙ୍ଗଣରେ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଚିନିକଳର କର୍ମଚାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ଆଗାମୀ ଦିନରେ ସରକାରଙ୍କ ସହିତ ଚିନିକଳ ଚଲାଇବା ପାଇଁ ସମସ୍ତ ପ୍ରକାର ସହଯୋଗ ଓ ଶ୍ରମିକ ସଂଘ ସାଂଗଠନିକ ଏକତ୍ରିକରଣ ପାଇଁ ଗୁରୁତ୍ୱାରୋପ କରାଯାଇଥିଲା।

କ୍ରିୟାନୁଷ୍ଠାନ କମିଟିର ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ନୟାଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ନୂଆ ଚିନିକଳ ସ୍ଥାପନ ପାଇଁ ଉଦ୍ୟମକୁ ପ୍ରଶଂସା କରାଯାଇଛି । ନୂଆ ଚିନିକଳ ସ୍ଥାପନ ପୂର୍ବରୁ ଚାଷୀ କିଭଳି ମାନସିକ ସ୍ତରରେ ପ୍ରସ୍ତୁତ ହେବେ, ସେ ନେଇ ଆଜି ଆଲୋଚନା କରାଯାଇଥିଲା । ଆସନ୍ତା ୧୨ ତାରିଖ ପାଣିପୋଇଲା ଡାକବଙ୍ଗଳାଠାରେ ଏକ ଚାଷୀ ସମ୍ମିଳନୀ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ନୟାଗଡ଼ରେ ଚିନିକଳ ସ୍ଥାପନ ଏବଂ ଆଖୁଚାଷକୁ ପୁନଃ ପ୍ରଚଳିତ କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟ କରିବ ବୋଲି ସଭାପତି କହିଛନ୍ତି ।





