ଭୁବନେଶ୍ବର,,(ବାଘୁଆବାର୍ତ୍ତା) : ସଂଗ୍ରାମୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଜଣେ ଆଦର୍ଶ ଜନନାୟକ ଏବଂ ଅନନ୍ୟ ସାଂଗଠନିକ ଶକ୍ତିର ଅଧିକାରୀ ଥିଲେ । ଯେତେବେଳେ ବି୍ରଟିଶ ଶାସନର ଆଧିପତ୍ୟରେ ରାଜତନ୍ତ୍ର ଓ ଜମିଦାରୀ ଶୋଷଣ ଓଡ଼ିଶାବାସୀଙ୍କୁ ଅତିଷ୍ଠ କରିଥିଲା, ଏହା ବିରୋଧରେ ରାଜତନ୍ତ୍ରକୁ ସମାଧି ଦେଇ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ଆମ ରାଜ୍ୟ ତଥା ଦେଶର ଯେଉଁ ଜନନାୟକମାନଙ୍କର ପ୍ରମୁଖ ଯୋଗଦାନ ରହିଥିଲା, ତନ୍ମଧ୍ୟରେ ବିଶିଷ୍ଟ ସଂଗ୍ରାମୀ ତଥା ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରମୁଖ ଯୋଗଦାନ ରହିଥିଲା ବୋଲି ଆଜି ସ୍ଥାନୀୟ ଜୟଦେବ ଭବନଠାରେ ତାଙ୍କର ୧୧୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏହି ଜୟନ୍ତୀରେ ଯୋଗଦେଇ ଶ୍ରୀ ସିଂ ସ୍ୱର୍ଗତ ପ୍ରଧାନଙ୍କୁ ଜଣେ ଆଦର୍ଶ ଜନନାୟକ ଭାବେ ଅଭିହିତ କରିବା ସହ ତାଙ୍କ କୃତି ଓ ବିଭିନ୍ନ ସ୍ଥାନରେ ଗଡ଼ଜାତ ଆନ୍ଦୋଳନର ସ୍ଥିତିକୁ ନେଇ ପୁସ୍ତକ ପ୍ରକାଶନ ପାଇଁ ମତ ରଖିଥିଲେ । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ପ୍ରଧାନଙ୍କର ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଢେଙ୍କାନାଳ ସାଂସଦ ମହେଶ ସାହୁ କହିଲେ ଯେ ସ୍ୱର୍ଗତ ପବିତ୍ର ମୋହନ ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ତାଙ୍କର ଭାବନା ସର୍ବଦା ରାଜନୈତିକ ଉଦ୍ଦେଶ୍ୟର ଊର୍ଦ୍ଧ୍ୱରେ ସମାଜର ସାମଗ୍ରିକ ଉନ୍ନତି ପାଇଁ ଉଦ୍ଦିଷ୍ଟ ଥିଲା । ଜୟନ୍ତୀ ଉତ୍ସବରେ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି କହିଥିଲେ ଗଡ଼ଜାତ ଅଞ୍ଚଳରୁ ରାଜତନ୍ତ୍ରର ବିଲୋପ ପାଇଁ ସ୍ୱର୍ଗତ ପ୍ରଧାନଙ୍କର କାର୍ଯ୍ୟଶୈଳୀ ଅବିସ୍ମରଣୀୟ । ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିରେ ତାଙ୍କର ଏକ ପ୍ରତିମୂର୍ତ୍ତି କିମ୍ବା ରାଜଧାନୀରେ କୌଣସି ରାସ୍ତାର ନାମକରଣ ପାଇଁ ସେ ତାଙ୍କ ବକ୍ତବ୍ୟରେ ପ୍ରସ୍ତାବ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭୁ୍ୟ’ର ସଂପାଦକ ଡକଫର ଲେନିନ ମହାନ୍ତି ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଜାତିର ପିତା ମହାତ୍ମା ଗାନ୍ଧୀ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ଜୟପ୍ରକାଶ ନାରାୟଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ତାଙ୍କର ଆଦର୍ଶରେ
ଅନୁପ୍ରାଣିତ ହେବା ପାଇଁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ଭର୍ଚୁଆଲ୍ ମାଧ୍ୟମରେ ସମ୍ମାନିତ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଜୟନ୍ତୀ ଉତ୍ସବରେ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କୁ ଜଣେ ସାଲିସବିହୀନ ଜନନେତା ଭାବେ ବର୍ଣ୍ଣନା କରିଥିଲେ । ବହୁ ଘାତ ପ୍ରତିଘାତ ମଧ୍ୟରେ ଶିକ୍ଷକତା କରି ମଧ୍ୟ ନିର୍ଭିକ ଭାବେ ବି୍ରଟିଶ ଶାସନ ବିରୋଧରେ ସଂଗ୍ରାମ କରିଥିଲେ ଏବଂ ସ୍ୱର୍ଗତ ପ୍ରଧାନ ଜଣେ ଅପ୍ରତିଦ୍ୱନ୍ଦୀ ନେତା ବୋଲି ପ୍ରକାଶ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କୁ ମାଟିର ମଣିଷ ଭାବେ ଅଭିହିତ କରିବା ସହ ଜନ୍ମଭୂମି ପାଇଁ ସେ ନିଜ ଜୀବନର ସୁଖସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ଜୀବନବ୍ୟାପୀ ବି୍ରଟିଶ ବିରୋଧରେ ସଂଗ୍ରାମ କରିଥିଲେ ବୋଲି ବକ୍ତବ୍ୟ ରଖିଥିଲେ । ଜୟନ୍ତୀ ଉତ୍ସବରେ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ସହଯୋଗୀ ଶତାୟୁ ବିଛନ୍ଦ ଚନ୍ଦ୍ର ପ୍ରଧାନଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡକଫର ପ୍ରମୋଦ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।





