ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜାନୁୟାରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ । ଏଥିପାଇଁ ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୂଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ୭ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମ, ପ୍ରତିଯୋଗିତା ଏବଂ ଧରପଗଡ଼ ଉପରେ ଆଲୋଚନା କରିଥିଲେ ।

ନୟାଗଡ଼ ସହରରେ ପାର୍କିଂ ସମସ୍ୟାକୁ ନେଇ ଜୋରଦାର ଆଲୋଚନା ହୋଇଥିଲା । ରାସ୍ତା କଡ଼ରେ ପାର୍କିଂ କରାଯାଉଥିବା ଭାରିଯାନ, ବାଇକ୍ ଏବଂ କାର ଉପରେ ଜରିମାନା ଲାଗୁ କରିବାକୁ ଆଲୋଚନା ହୋଇଥିବା ବେଳେ ବରିଷ୍ଠ ନାଗରିକ ଓ ବୁଦ୍ଧିଜିବି ଏହାକୁ ବିରୋଧ କରିଥିଲେ । ପାର୍କିଂ ନିର୍ମାଣ ନହେବା ପର୍ଯ୍ୟନ୍ତ ଜରିମାନା ଆଦାୟ ନକରିବାକୁ କୁହାଯାଇଥିଲା । ଏହି ବୈଠକରେ ଘରୋଇ ବସ ମାଲିକ ସଂଘ, ସିଭିଲ ସୋସାଇଟ, ଡ୍ରାଇଭର ସଂଘ ଉପସ୍ଥିତ ରହି ସଡ଼କ ସୁରକ୍ଷା ସପ୍ତାହ ପାଳନରେ ସହଯୋଗ କରିବାକୁ ସମ୍ମତି ଦେଇଥିଲେ ।





