ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଖଣ୍ଡପଡ଼ା ବ୍ଲକ୍ ଅଧ୍ୟକ୍ଷା ଉପମା ବେହେରା, ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାସ ଚନ୍ଦ୍ର କହଁର, ସତ୍ୟଭାମା ନାୟକ, ହରିଶ୍ଚନ୍ଦ୍ର ଜାନୀ, ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ସ୍ବାଗତ ଅଭିଭାଷଣ ରଖିବା ସହ ମହୋତ୍ସବରେ ରହିଥିବା ବିଭିନ୍ନ ବିଭାଗ ଷ୍ଟଲ୍ ଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ବିକଶିତ ଜିଲ୍ଳା ଗଠନ ପ୍ରତୀକ ହେଉଛି ନୟାଗଡ଼ ମହୋତ୍ସବ ବୋଲି ଦଶପଲ୍ଲା ଏନଏସି ଅଧ୍ୟକ୍ଷା କହିଥିଲେ। ଭାଇଚାରା ପାଇଁ ମହୋତ୍ସବ ସମ୍ଭବ ହୋଇପାରୁଥିବା ଖଣ୍ଡପଡ଼ା ଅଧ୍ୟକ୍ଷା କହିଛନ୍ତି। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ମହୋତ୍ସବ ଓ ଜିଲ୍ଲା ବିଷୟରେ କମ୍ ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ ଅଧିକ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ କବି ଗୋପୀନାଥ ସେଠୀ, ଅଧ୍ୟାପିକା ସ୍ମିତା ସ୍ବାଇଁ ସଂଯୋଜନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ରୋଜୀନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ତୃତୀୟ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ବେଶ ଉପଭୋଗ କରିଥିଲେ। ପାଇକ ନୃତ୍ୟ ଶିହରଣ ସୃଷ୍ଟି କରିଥିଲା। ଅଭିନେତା ବାବୁଶାନ୍ ମହାନ୍ତି ଶୀତୁଆ ସନ୍ଧ୍ୟାକୁ ରୋମାଞ୍ଚିତ କରିଥିଲେ। ଏହା ସହିତ ସ୍ଥାନୀୟ କଳାକାର, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା।





