ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଡି.ଏ.ଭି. ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆ ଠାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ନିକଟସ୍ଥ ନାରାୟଣୀ ମନ୍ଦିରରୁ ପାରମ୍ପରିକ ରୀତିରେ ଶିଶୁ ମାନଙ୍କ ଦ୍ୱାରା କ୍ରୀଡାଜ୍ୟୋତି ଅଣାଯାଇ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଡ. ଅରୁଣ କୁମାର ସାହୁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ମିଶ୍ରଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ଏହି ଅବସରରେ ଡ. ସାହୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଳି ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀ ମାନେ ପାଠପଢ଼ା ସହ ବିଭିନ୍ନ କ୍ରୀଡାରେ ମନୋନିବେଶ କରିବାର ଆବଶ୍ୟକତା ରହିଛି ।

ଖେଳକୁଦ କଲେ ଶରୀର ସୁସ୍ଥ ରହିବ ବୋଲି ପ୍ରକାଶ କରିଥିଲେ । ସକାଳ ୮.୦୦ ରେ ଆରମ୍ଭ ହୋଇ ଅପରାହ୍ନ ଘ.୪.୦୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ମ. ଉମର ମଲ୍ଲିକ ଯୋଗଦାନ କରି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ରାଜୀବ କୁମାର ନାୟକ ଓ ବିଭିନ୍ନ ବିଦ୍ୟାଳୟର ଅତିଥି ଖେଳ ଶିକ୍ଷକଙ୍କ ସହଯୋଗରେ ସମସ୍ତ ପ୍ରତିଯୋଗିତା ଗୁଡିକୁ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଜୟିନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।







