ଭୁବନେଶ୍ଵର,(ବାଘୁଆବାର୍ତ୍ତା) :ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ଯେ, ପରିବର୍ତ୍ତୀତ କୋଭିଡ଼ ଗାଇଡଲାଇନ ଅନୁଯାୟୀ ଏଣିକି ଆସନ୍ତା ଫେବୃୟାରୀ ଆଠ ତାରିଖ ଠାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ଥିବା ସ୍ଵତନ୍ତ୍ର ବିଦ୍ୟାଳୟଗୁଡିକରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା କାର୍ଯ୍ୟ ନିୟମିତ ଭାବରେ ଆରମ୍ଭ ହେବ । ଏହା ଗଣଶିକ୍ଷା ବିଭାଗର ଚିଠି ସଂଖ୍ୟା ୨୩୫୩, ତା. ୦୧.୦୨.୨୦୨୧ ରିଖ ଦ୍ଵାରା ନିୟମପାଳନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଅଛି । ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୁରତ୍ଵ ବଜାୟ ରଖିବା ଏବଂ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ବିଭାଗ ଅଧୀନରେ ଥିବା ହଷ୍ଟେଲଗୁଡିକ ମଧ୍ୟ ଆସନ୍ତା ୮ ତାରିଖରୁ କୋଭିଡ଼ ମାର୍ଗଦର୍ଶିକା ଭିତ୍ତିରେ ଖୋଲିବ । ପ୍ରତ୍ଯେକ ଛାତ୍ରଛାତ୍ରୀ, ହଷ୍ଟେଲ ପରିଚାଳକ ଓ କର୍ମଚାରୀ ଏହି ସୁରକ୍ଷା ନିୟମାବଳୀକୁ ଅନୁପାଳନ କରିବେ । ଆହୁରି ମଧ୍ୟ ପ୍ରକାଶ ଯେ, ବାଲେଶ୍ଵର, କଟକ, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ପୁରୀ, କନ୍ଧମାଳ, ସୁନ୍ଦରଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୬ଟି ବିଦ୍ୟାଳୟ ଏବଂ ଭୁବନେଶ୍ବରଠାରେ ଥିବା ଏକ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟକୁ ସାନିଟାଇଜ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ତତସହିତ ନିୟମିତ ରୂପେ ବିଦ୍ୟାଳୟ ଏବଂ ହଷ୍ଟେଲଗୁଡିକର ପରିଚାଳନା, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଯାଞ୍ଚ କରିବା ଇତ୍ୟାଦି ବ୍ୟବସ୍ଥାକୁ କଡାକଡି ଅନୁପାଳନ କରିବା ପାଇଁ ସଂପୃକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ଯତୀତ ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଦ୍ଵାରା କୋଭିଡ଼ ନିୟମର ଅନୁପାଳନ ସମ୍ପର୍କିତ ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ବିଭାଗୀୟ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ।





