ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମହୁଲପଡା ସ୍ଥିତ ଜଗନ୍ନାଥ ଲେୟର ନାମକ ଏକ କୁକୁଡ଼ା ହାଚେରୀ ପରିସରରେ ଜଣେ କର୍ମଚାରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଶିବପ୍ରସାଦ କର ଓ ସେ ଏହି ହାଚେରୀରେ ଲାଇଭ ନିରୀକ୍ଷକ ଭାବେ କାମ କରୁଥିଲେ ବୋଲି ଜଣାପଡିଛି । ତାଙ୍କ ଘର ଖୋର୍ଦ୍ଧା ଗୌଡ଼କାଶୀପୁର ଗ୍ରାମରେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ପାଇଖାନାରେ ପଡିଥିବା କର୍ମଚାରୀ ମାନେ ଦେଖିଥିଲେ । ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୁଣ୍ଡ ପଛ ପଟରେ ଗଭୀର କ୍ଷତ ଥିବାବେଳେ ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ଫଳରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଖବର ପାଇ ସଦର ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତକ ପରିବାର ଓ ସମ୍ପର୍କୀୟ ମାନେ ଏପରି ଆକସ୍ମିକ ଓ କ୍ଷତ ଯୋଗୁଁ ହତ୍ୟା ସନ୍ଦେହ କରି ତଦନ୍ତ ଦାବି କରିଛନ୍ତି । ଏପଟେ ମୃତ୍ୟୁର କାରଣ କ’ଣ ଜାଣିନଥିବା ସାଙ୍ଗକୁ ଶବ ବ୍ୟବଚ୍ଛେଦ ଓ ପୋଲିସ ତଦନ୍ତରୁ ଜଣାପଡିବ ବୋଲି ହାଚେରୀ ମାଲିକ ପ୍ରକାଶ କରିଛନ୍ତି ।





