ଟାଙ୍ଗୀ, (ବାଘୁଆବାର୍ତ୍ତା): ବେଆଇନ ମାଙ୍କଡା ପଥର ଚୋରା ଚାଲାଣକୁ ରୋକିବା ନିମନ୍ତେ ଉଭୟ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢ଼ାଉ ସତ୍ୱେ ଗଳା ବାଟ ଦେଇ ମାଫିଆ ମାନେ ଏହି କାରବାର ଚଳାଇଛନ୍ତି |ଏହାକୁ ଦୃଢ଼ ହସ୍ତରେ ଦମନ କରିବା ଉଦେଶ୍ୟରେ ନିରାକାରପୁର ପୁଲିସ ଏବେ ଅଣ୍ଟା ଭିଡ଼ିଛି |ଏନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି କରିଛି | ସେହିପରି ଆଜି ଉଭୟ ୧୬ନମ୍ବର ଜାତୀୟ ରାଜପଥ ଓ ନୂଆ ଜଗନ୍ନାଥ ସଡ଼କରେ ଚଢ଼ାଉ କରାଯାଇଥିଲା |ଚଢ଼ାଉ ବେଳେ ଓଆର -0୯-ଏଫ -୯୪୫୨, ଓଡି-0୨-ବିୱାଇ-୨୭୧୭, ଓଆର-0୨-ବିଏମ-୪୫0୧ ଆଦି ନମ୍ବର ବିଶିଷ୍ଟ ୩ଟି ମାଙ୍କଡା ବୋଝେଇ ଟ୍ରକକୁ ଆଜି ପୁଲିସ ଜବତ କରିଛି |
ଅନୁରୂପଭାବେ ନିରାକାରପୁର ଥାନା ଅଧିନସ୍ଥ ନୀଳଗିରି ପାଟଣାର ଚାଳକ ଅନନ୍ତ ମହାରଣା ଓ ପୁରୀଜିଲ୍ଲା ଲିଆଜପୁର ଅଞ୍ଚଳର କାହ୍ନୁ ଦଳେଇ ନାମକ ଦୁଇଜଣ ଚାଳକକୁ ଗିରଫ କରିଛି | ଗିରଫ ଭୟରେ ଅନ୍ୟ ଗାଡି ଚାଳକ ଜଣକ କୌଶଳ କ୍ରମେ ଖସି ପଳାଇଥିବାରୁ ତାକୁ ମଧ୍ୟ ଗିରଫ କରିବା ଉଦେଶ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି |ଉଭୟଙ୍କ ନାମରେ ନିରାକାରପୁର ଥାନାରେ ୩0୪, ୩0୫, ୩0୬/୨୪ରେ ମାମଲା ୠଜୁକରି ତଦନ୍ତ ଚଳାଇଥିବା ନିରାକାରପୁର ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ସୂଚନା ଦେଇଛନ୍ତି |ପୁଲିସର ଏତାଦୃଶ ଚଢ଼ାଉ ଦେଖି ମାଫିଆ ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି |





