ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସିବିଆଇ ମେଗା ରେଡ୍ ଘଟଣାରେ ୩ ଗିରଫ । ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା ଓ ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟରଦେବଦତ୍ତ ମହାପାତ୍ର ଗିରଫ। ଆଜି ଚଢ଼ାଉ ବେଳେ ଦେବଦତ୍ତ ମହାପାତ୍ରଙ୍କ ଘରୁ ଜବତ ହୋଇଛି ବିପୁଳ ଟଙ୍କା ଓ ସୁନା। ବ୍ୟାଙ୍କ ଲକର୍ ଓ ଘରେ ରେଡ୍ ବେଳେ ଆଲମିରାରୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଘରୁ ଏକ୍ ଡିଜିଟାଲ ଲକର୍ ସିଜ କରି ରାମମନ୍ଦିର ସ୍ଥିତ ଅଫିସକୁ ଆଣିଛି ସିବିଆଇ। ଭଦ୍ରକର ୩ଟି ସ୍ଥାନରେ ଓ ଭୁବନେଶ୍ୱରର ଦୁଇଟି ସ୍ଥାନରେ ଚାଲିଛି ରେଡ୍। ଗତକାଲି ଭୁବନେଶ୍ୱରର ମେ ଫେୟାର୍ ହୋଟେଲ ସାମ୍ନାରେ ମର୍ସିଡିଜ୍ କାରରୁ ପ୍ରାୟ କୋଟିଏ ଟଙ୍କା ଜବତ କରିବା ସହିତ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ହେପାଜତକୁ ନେଇଥିଲା ସିବିଆଇ । ସୂଚନା ଅନୁସାରେ, କୋଟି କୋଟି ଟଙ୍କାର ହେରଫେର୍ ଓ ଟେଣ୍ଡର ଫିକ୍ସିଂ ମାମଲାରେ ଚାଲିଛି ବଡ଼ ଧରଣର ରେଡ୍। ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ ଲିମିଟେଡ୍ ବିରୋଧରେ ଏନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହେବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ସିବିଆଇ ଟିମ୍। କେବଳ ଓଡ଼ିଶା ନୁହେଁ, ଦିଲ୍ଲୀ ଓ କୋଲକାତା ସମେତ ଦେଶର ମୋଟ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ ମେଗା ରେଡ୍ ହୋଇଥିବା ସୂଚନା ମିଳିଛି। ତେବେ ଏନେଇ ବ୍ରିଜ୍ ଆଣ୍ଡ୍ ରୁଫ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।





