ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ବର୍ଦ୍ଧନା ସଭା
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ପଠାଣି ସାମନ୍ତ ସଂସ୍ଲୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉନ୍ନତୀ ପାଇଁ ସଦା ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି । ତା ସହିତ ସଭାରେ ଉପସ୍ଥିତି ଯୁବ ଏବଂ ଛାତ୍ରମାନଙ୍କୁ ଉପଦେଶ ଦେଇ ଗାଁକୁ ଯାଇ ଗରୀବଙ୍କୁ ସାହାର୍ଯ୍ୟ କର ବୋଲି କହିଛନ୍ତି । ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଭୋକର ଭୁଗୋଳ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ପ୍ରତିଦ୍ୱନ୍ଦିତା କରନ୍ତି ବୋଲି କହିଛନ୍ତି । ଯେଉଁଥିପାଇଁ ସାରା ଓଡ଼ିଶାର ଜନମାନସର ସେ ଲୋକପ୍ରିୟ ହୋଇ ପାରିଥିବା ବେଳେ ରାଜ୍ୟକୁ ଏକ ନମ୍ବର କରିବା ପାଇଁ ସଂଗ୍ରାମ କରୁଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଦାନ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ସ୍ତରର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ଏହାକୁ ସଫଳ କରିଥିବା କହିଛନ୍ତି । ବୈଠକରେ ବିଜୁ ଯୁବ ଜନତା ଦଳ ସଭାପତି ରମେଶ କୁମାର ସାହୁ, ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ମୋ ପରିବାର ଏବଂ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଭାପତି ଗୁରୁପ୍ରସାଦ ଜେନା ପ୍ରମୂଖ ଉପସ୍ଥିତି ରହିଥିଲେ । ଆୟୋଜିତ ସଭାରେ ଶହ ଶହ ଯୁବ, ଛାତ୍ର ଯୋଗ ଦେଇଥିଲେ ।






