ନୟାଗଡ଼, (ବାଘୁଆବାର୍ତ୍ତା): ବୁଧବାର ନୟାଗଡ଼ ଗସ୍ତରେ ଆସିଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ନୟାଗଡ଼ ଡିଆର୍ଡିଏ ସୃଜନ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଯୋଗ ଦେଇ ଲୋକ ପ୍ରତିନିଧିଙ୍କ ସହଯୋଗରେ କାମ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣଧିନ ରାସ୍ତା କାମର ସମୀକ୍ଷା କରା ଯିବା ସହ ଜାତୀୟ ରାଜପଥ ବିଭାଗର ସମୀକ୍ଷା ବେଳେ ନୟାଗଡ଼ରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଚାଲିଥିବା ରାସ୍ତାକାମ ଆସନ୍ତା ଜୁନ ସୁଦ୍ଧା ଶେଷ ହେବ ବୋଲି ଆଲୋଚନା ହୋଇଛି । ସେହିଭଳି ଭାବେ ନୟାଗଡ଼ ବାଇପାସ୍ ପାଇଁ ଜମି ଅଧିଗ୍ରହଣ କରିବାକୁ ୧୩୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦିଆଯାଇଛି । ଯଥାଶୀଘ୍ର ଜମି ଅଧିଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଡ. ଟୁଡୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଆୟୋଜିତ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ପୂର୍ତ୍ତ ମୁଖ୍ୟଯନ୍ତ୍ରୀ ମନୋରଂଜନ ମିଶ୍ର, ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଜିତ୍ ମହାପାତ୍ରଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।





