ଯାଜପୁର, (ବାଘୁଆବାର୍ତ୍ତା): କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମ କାରଖାନାରୁ ଠିକା ଶ୍ରମିକ ନିଖୋଜ ହେବା ଘଟଣା। କାରଖାନା ପରିସରରୁ ନିଖୋଜ ଠିକା ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେହି ତାଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବାବେଳେ ଆଜି ମାଟିତଳୁ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଣ୍ଡବନ୍ଧ ଗ୍ରାମର ଅକ୍ଷୟ ପ୍ରଧାନଙ୍କ ପୁଅ ସିଲୁ ପ୍ରଧାନ ବୋଲି ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କୁହାଯାଇଛି । ଏହି ଘଟଣାରେ ପୁଲିସ ୪/୫ ଜଣଙ୍କୁ ସନ୍ଦେହରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ଗତ ବୁଧବାରଠାରୁ କଳିଙ୍ଗନଗରର ନୀଳାଚଳ ଇସ୍ପାତ କାରଖାନାକୁ ଡ୍ୟୁଟି କରିବାକୁ ଯାଇ ନିଖୋଜ କର୍ମଚାରୀଙ୍କ ମୃତଦେହ ମାଟି ତଳେ ପୋତାଯାଇଥିବା ସୂଚନା ମିଳିବା ପରେ କାରଖାନା ଭିତରେ ଓ ବାହାରେ ପ୍ରବଳ ଉତ୍ତେଜନା ଲାଗି ରହିଥିଲା। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଓ ଏହାକୁ ଚପାଇ ଦେବାକୁ କାରଖାନା ପରିସରରେ ପୋତାଯାଇଥିବା ଅଭିଯୋଗ କରି ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଯାଜପୁର ଏସ୍ପିଙ୍କ ସମେତ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ପରିସ୍ଥିତି ଉତ୍ତେଜନାମୂଳକ ଥିବାରୁ ମାଟି ତଳୁ ଶବକୁ ଉଦ୍ଧାର କରିବାରେ ବିଳମ୍ୱ ହୋଇଥିଲା । ଖବ ମୁତବାକ, ବୁଧବାର ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବାଟି ଗ୍ରାମର ଅକ୍ଷୟ ପ୍ରଧାନଙ୍କ ପୁଅ ସିଲୁ ପ୍ରଧାନ(୨୨) ନୀଳାଚଳ ଇସ୍ପାତ କାରଖାନା ଅଧୀନରେ କାର୍ଯ୍ୟ କରୁଥିବା ସତ୍ୟମ ଏଣ୍ଟରପ୍ରାଇଜେସରେ ଡ୍ୟୁଟି କରିବାକୁ ଯାଇଥିଲେ। ଏହା ପରଠାରୁ ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ କଳିଙ୍ଗନଗର ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଆଜି ପରିବାର ଲୋକଙ୍କ ପକ୍ଷରୁ ନୀଳାଚଳ ମୁଖ୍ୟ ଫାଟକ ସମ୍ମୁଖରେ ଗଣଧାରଣା ଜାରି ରହିଥିବାବେଳେ ପୁଲିସ ଓ ପରିବାର ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଆଜି କାରଖାନା ଭିତରକୁ କର୍ମଚାରୀ ‘ବି’ ସିଫ୍ଟ ରେ କାମ କରିବା ପାଇଁ ଯାଇପାରି ନ ଥିଲେ। ବାରମ୍ୱାର ପରିବାର ଲୋକଙ୍କ ପକ୍ଷରୁ ସିଲୁ ସମ୍ପର୍କରେ ସୂଚନା ଜାଣିବା ପାଇଁ ଉଦ୍ୟମ କରାଯାଉଥିଲେ ହେଁ କମ୍ପାନୀ କିମ୍ୱା ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲା। କମ୍ପାନୀ ପକ୍ଷରୁ ନିଖୋଜ ସିଲୁ କାରଖାନା ଭିତରକୁ ଯିବା ସମୟର ସିସିଟିଭିର ଦୃଶ୍ୟ ସାର୍ବଜନୀନ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ପରବର୍ତ୍ତୀ ସମୟରେ ଉତ୍ତ୍ୟକ୍ତ ଲୋକଙ୍କ ପକ୍ଷରୁ ସେହି କମ୍ପାନୀର ସୁପରଭାଇଜର ଦାୟିତ୍ୱରେ ଥିବା କର୍ମଚାରୀଙ୍କଠାରୁ କୌଣସି ପ୍ରକାରେ କଥା ଆଦାୟ କରିବା ବେଳେ ସେ ସିଲୁର ମୃତଦେହ ମାଟି ତଳେ ପୋତା ଯାଇଥିବା ସୂଚନା ଦେଇଥିବା ଜଣାପଡ଼ିଥିଲା। ଏହି ଖବର ପ୍ରଚାର ହେବା ପରେ ହଜାର ହଜାର ଲୋକ କାରଖାନା ଭିତରେ ଓ ବାହାରେ ଭିଡ଼ ଜମାଇଥିଲେ।





