ନୟାଗଡ଼, (ବାଘୁଆବାର୍ତ୍ତା): ବୁଧବାର ନୟାଗଡ଼ ଗସ୍ତରେ ଆସିଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ପ୍ରଥମେ ନୟାଗଡ଼ ଖଣ୍ଡପଡ଼ା ରାସ୍ତାରେ ନିର୍ମାଣ ହେଉଥିବା ବଲାଙ୍ଗୀ ପାର୍କ ପରିଦର୍ଶନ କରିଛନ୍ତି । ସେଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଡ୍ରେନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେହିଭଳି ଭାବେ ଖଣ୍ଡପଡ଼ା ରାସ୍ତା ବାରବାଟି ନିକଟସ୍ଥ ଲୁଣିସରା ନିକଟରେ ପ୍ରସ୍ତାବିତ ବ୍ରିଜ କାମର ସମୀକ୍ଷା କରିବା ସହ ବ୍ରିଜ ସହିତ ଏକ ଚେକ୍ଡ୍ୟାମା ନିର୍ମାଣ କରିବାକୁ ପୂର୍ତ୍ତ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ବାଲୁଗାଁ ଡାହୁକା ନଦୀଠାରେ ଅଧାପନ୍ତରିଆ ବ୍ରିଜ କାମର ନୂଆ ଟେଣ୍ଡର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।





