ନୟାଗଡ଼, (ବାଘୁଆବାର୍ତ୍ତା) : ରଞ୍ଜୁବାଳା ପ୍ରକାଶନୀ ଦ୍ଵାରା ପ୍ରକାଶିତ ତଥା ବିଶ୍ଵନାଥ ମହାପାତ୍ରଙ୍କ ରଚିତ ପୁସ୍ତକ ‘ଇତି ବୃତ୍ତରେ ଅମର’ ଆଜି ଲୋକାର୍ପିତ ହୋଇଯାଇଛି। ସ୍ଥାନୀୟ ରୋଟାରୀ ଭବନଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ହୁସେନ ରବି ଗାନ୍ଧୀ ଯୋଗ ଦେଇ ପୁସ୍ତକ ଲୋକାର୍ପଣ କରିଛନ୍ତି। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକାଶକ ଶରତ ଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ କବି ବିଶ୍ଵନାଥଙ୍କ ସଂଘର୍ଷ ଜୀବନ ଏବଂ ସମାଜର ତଳ ସ୍ତର ଲୋକଙ୍କ ପାଇଁ ଲେଖନୀ ଚାଲାଣ ଉପରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, ଡ. ପବିତ୍ର ସୁବୁଦ୍ଧି, ଶ୍ରୀଯୁକ୍ତ ସତ୍ୟାନାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଟ୍ୟକାର ଡ. ବିଜୟ କୁମାର ଚୌଧୁରୀଙ୍କୁ ରଞ୍ଜୁବାଳା ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଦିବ୍ୟଗତ କବି ଭାଗବତ ପ୍ରଧାନଙ୍କୁ ମାରୋଣତ୍ତର ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ସାହିତ୍ୟ ପ୍ରେମୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।





