ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟ ସରକାର ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟ ଜଳଯୋଗାଣକୁ ପ୍ରାଥମିକତା ଦେଇ ଆସିଛନ୍ତି । ଯାହାକୁ ନେଇ ନୟାଗଡ଼ ଜିଲ୍ଲାରେ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ତ୍ୱରାନିତ କରିବା ନେଇ ଏକ କୃଷି ଭବନର ସମ୍ମିଳନୀ କକ୍ଷରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣଧିନ ଥିବା ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ଉକ୍ତ ବୈଠକରେ ନୟାଗଡ଼ ଜିଲ୍ଲାର ସମସ୍ତ ଗ୍ରାମକୁ କିଭଳି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ ତା’ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ଆଲୋଚନା କରାଯାଇଛି । ବୈଠକରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅଭୟ କୁମାର ବିଶ୍ୱାଳ, ମୁଖ୍ୟଯନ୍ତ୍ରୀ ଓଡ଼ିଶା, ଅଧରକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଭୁବନେଶ୍ୱର ସର୍କଲ ଓ ନୟାଗଡ଼ ଡିଭିଜନର ନର୍ବାହୀ ଯନ୍ତ୍ରୀ ରାଜିବ କୁମାର ପାଣିଗ୍ରାହୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।





