ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ନୟାଗଡ଼ ଗସ୍ତରେ ଆସିଛନ୍ତି ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୃଜନ ସଭାଗୃହରେ ଖରିଫ୍ ଧାନ କ୍ରୟ, ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଓ ପାନୀୟ ଜଳ ଯୋଗାଣ ସଂପର୍କରେ ସମୀକ୍ଷା କରିଛନ୍ତି । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକ ମଧ୍ୟରୁ ଯେଉଁ ବ୍ଲକ ଗୁଡ଼ିକୁ ସଠିକ୍ ଭାବରେ ପାନୀୟ ଜଳ ଯୋଗାଣ ହୋଇପାରି ନାହିଁ ଉକ୍ତ ବ୍ଲକଗୁଡ଼ିକୁ ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସଂସ୍ଥାର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଣ୍ଡିମାନଙ୍କରେ ଧାନ ଉଠାଣ ପାଇଁ ସୁବ୍ୟବସ୍ଥା କରିବା ପାଇଁ ଏବଂ ଚାଷୀମାନଙ୍କର ନାମ ପଂଜୀକରଣ କରାଇ ସଠିକ୍ ଭାବରେ ଟୋକନ୍ ପ୍ରଦାନ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ପରାମର୍ଶ ଦେବା ସହ ଜିଲ୍ଲାରେ ଥିବା ମିଲରମାନଙ୍କର ଟୋକନ୍ ସଂପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଉପରେ ଆଲୋଚନା କରି ଜିଲ୍ଲାରେ ଭଲ କାର୍ଯ୍ୟ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି । ୨୦୨୨ ସୁଦ୍ଧା ସମସ୍ତଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ ଧାର୍ଯ୍ୟ ଥିବା ଉପାଧ୍ୟକ୍ଷ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଡା. ପୋମା ଟୁଡୁ, କୋଭିଡ୍ ସମୟରେ ନୟାଗଡ଼ ଜିଲ୍ଲ୍ାରେ ୧୫୦୦୦ ଶ୍ରମିକଙ୍କୁ ଏମିଜିଏନ୍ଆର୍ଇଜିଏସ୍ ଯୋଜନା ଅନ୍ତର୍ଗତ ମୋ ପୋଖରୀ, ମୋ ବଗିଚା ଏବଂ ବିଭିନ୍ନ ରାସ୍ତା ନିର୍ମାଣ ଆଦି କାର୍ଯ୍ୟରେ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ଉକ୍ତ ବୈଠକରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ସଂପୃକ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।





