ଆଳି, (ବାଘୁଆବାର୍ତ୍ତା): କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମାଙ୍କୁ ଶାଶୂଘର ଲୋକେ ଦେଉଛନ୍ତି ଯୌତୁକ ନିର୍ଯାତନା। ଏନେଇ ଚଳିତ ନିର୍ବାଚନରେ ଆଳିରୁ କଂଗ୍ରେସର ବିଧାୟିକା ପ୍ରାର୍ଥୀ ହୋଇଥିବା ଦେବସ୍ମିତା ଶର୍ମା ନିଜେ ଆଳି ଥାନାରେ ଅଭିଯୋଗ କରିଛନ୍ତି। ଶାଶୂଘର ଲୋକେ ଅଧିକ ଯୌତୁକ ଦାବିକରି ଦେବସ୍ମିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ପରେ ପୁଲିସ ୬ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡିଛି। ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା ତାଙ୍କ ଡାକ୍ତର ସ୍ୱାମୀ ରାହୁଲ ପ୍ରତାପ ରାୟ ଓ ତାଙ୍କ ପରିବାର ଉପରେ ଆଣିଛନ୍ତି ଯୌତୁକ ନିର୍ଯାତନା ଅଭଯୋଗ । ଡାକ୍ତର ଶର୍ମା ଅଭିଯୋଗ ଆଣିଛନ୍ତିଯେ ୨୦୨୨ଡିସେମ୍ବର ୧୪ତାରିଖରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତର ରାହୁଲ ପ୍ରତାପ ରାୟଙ୍କ ସହ ତାଙ୍କର ବୈଦିକ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ଶାଶୁଘର କଟକ ସ୍ଥିତ ବକ୍ସିବଜାର ପେଟିନ ସାହି ଶାନ୍ତି କୁଟୀର ନିବାସୀରେ ରହୁଥିଲେ। ହେଲେ ବିବାହର ୨୫ଦିନ ପରେ ସ୍ୱାମୀ, ଶଶୁର, ଶାଶୁ, ଦିଅର, ପିଉସା ଶଶୁର ଓ ପିଉସୀ ଶାଶୁ ସମସ୍ତେ ମିଶି ତାଙ୍କୁ ଅଧିକ ଯୌତୁକ ଆଣିବାକୁ କହି ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଦେବସ୍ମିତା ତାଙ୍କ ବାପାଙ୍କଠୁ ୫୦ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ ପରିବାର ଲୋକେ । କେବଳ ସେତିକି ନୁହେଁ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ସହିତ ମଦ ପିଇବାକୁ ବାଧ୍ୟ କରୁଥିଲେ। ପ୍ରତିବାଦ କରିବାରୁ ସିଗାରେଟ ଚେଙ୍କ ଦିଆଯାଉଥିଲା । ତାଙ୍କ ସ୍ୱାମୀ ଯୌତୁକ ଦାବୀ କରି ତାଙ୍କ ମୁହଁରେ ତକିଆ ପକାଇ ଶ୍ୱାସ ରୁଦ୍ଧ କରି ମାରିବା ପାଇଁ ଉଦ୍ୟମ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଆଳି ଥାନାରେ ଦେବସ୍ମିତା ଶର୍ମାଙ୍କ ଅଭିଯୋଗ ପରେ ପୁଲିସ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।





