ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋଲପଟା ପଂଚାୟତର ବିଭିନ୍ନ ପ୍ରକଳ୍ପର ଆଜି ମାରାଥନ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ସାଂସଦ ପିନାକୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରଣପୁର ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ସୋଲପଟା ଗ୍ରାମ ପଂଚାୟତ ଅଧିନ ଜଗତିସାହିଠାରେ ନେତାଜୀ କ୍ଲବର ଶୁଭ ଉଦ୍ଘାଟନ କରିଥିଲେ । ସେଠାରୁ ଏକ ବାଇକ ଶୋଭାଯାତ୍ରାରେ ସାଂସଦ ପଦ୍ମାଦେଇପୁର ଯାଇ ୬୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବସୁଧା ପାନୀୟ ଜଳ ପ୍ରକଳ୍ପ, ୭ ଲକ୍ଷ ବ୍ୟୟରେ ସୋଲପଟା ଅଙ୍ଗନବାଡ଼ି ଗୃହ ଏବଂ ୪୦ ଲକ୍ଷ ବ୍ୟୟରେ ସୋଲପଟା ପାନୀୟ ଜଳ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି । ସେହିଭଳି ଭାବେ ସୋଲପଟାଠାରେ ୩୫ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପକୁ ସାଂସଦ ଉଦ୍ଘାଟନ କରିଥିବା ଜଣାଯାଇଛି । ଶେଷରେ ସୋଲପଟା ସରପଂଚ ସୁଶାନ୍ତ କୁମାର ଜେନାଙ୍କ ସଭାପତିତ୍ୱରେ ଉଦ୍ଘାଟନି ଉତ୍ସବରେ ମୁଖ୍ୟ ଅତିଥି ୧୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ୱାବଲମ୍ବୀ ପଲ୍ଲୀ ସମ୍ମାନ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବିଡିଓ ସ୍ୱାତୀଲେଖା ଦାଶ, ସିଡିପିଓ ଲହଡ଼ିବାଳା ପ୍ରଧାନ, ଓଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀ ଶରତ କୁମାର ମଲ୍ଲିକ, କନିଷ୍ଠ ଯନ୍ତ୍ରୀ ଦାମୋଦର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସ୍ୱର୍ଣ୍ଣପ୍ରକାଶ ରାଉତରାୟଙ୍କ ସମେତ ବହୁ ସରପଂଚ ଏବଂ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।





