ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବନବିଭାଗ ପକ୍ଷରୁ ଗତକାଲି ବିପୁଳ ପରିମାଣର କାଠ ଜବତ କରା ଯାଇଥିବା ବେଳେ ଗୋଟିଏ ଟାଟାଏସିଇ ଗାଡ଼ି ଜବତ କରାଯାଇଛି । ସୂଚନାନୁସାରେ, ନୟାଗଡ଼ ବନାଞ୍ଚଳ ଅନ୍ତର୍ଗତ ହାଉସିଂବୋଡ଼ ନିକଟସ୍ଥ ଶାଳଭଞ୍ଜ ଠାକୁରାଣୀଙ୍କ ନିକଟରୁ ଗୋଟିଏ କାଠପଟା ବୋଝେଇ ଟାଟା ଏସିଇ ଗାଡ଼ି ଜବତ କରାଯାଇଛି । ଏହି ଗାଡ଼ିର ମାଲିକ ଭିକାରୀ ସାହୁ ବୋଲି ଜଣାପଡ଼ିଥିବା ବେଳେ ଏହି କାଠ କିଏ କେଉଁଠିକୁ ନେଉଥିଲେ ତାହାର ତଦନ୍ତ ଚାଲିଛି । ବନପାଳ ମନୋଜ ପ୍ରଭାକର, ବିଘ୍ନେଶ ବେହେରା ଏବଂ ଅନ୍ୟ ବନକର୍ମଚାରୀମାନେ ସାମିଲ ହୋଇ କାଠ ଗାଡ଼ି ଜବତ କରିଥିବା ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ସେହିଭଳି ଭାବେ ମହୀପୁର ବନାଞ୍ଚଳ ଅନ୍ତର୍ଗତ ଡିମିରିପଦର ନିକଟରୁ ବନପାଳ ଆଲୋକ ଗୁରୁ ଏବଂ ଅନ୍ୟ ବନକର୍ମଚାରୀମାନେ ଅନେକ ଶାଳ ଲଗ ଜବତ କରିଛନ୍ତି । ଏହି ଶାଳଲଗ ସବୁକୁ ବନାଞ୍ଚଳ କାର୍ଯ୍ୟାଳୟରେ ରଖା ଯାଇଥିବା ଜଣାଯାଇଛି ।






